ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଅବସରରେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଭଞ୍ଜ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫଟୋଗ୍ରାଫି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସହର ପ୍ରଶାସନ ଓ ସିଆରଏସ୍‌ଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଜୟ ନାୟକ ଯୋଗଦେଇ ସଂଘର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦିବସ ପାଳନକୁ ସ୍ମରଣୀୟ କରିବା ପାଇଁ କେକ୍‌ କଟାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ଗଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶ୍ରଦ୍ଧା’ର ଅନ୍ତେବାସୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆର୍‌ପିଏ ପକ୍ଷରୁ ଶ୍ରଦ୍ଧା ଅନୁଷ୍ଠାନକୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ନାୟକ । ଆର୍‌ପିଏର ସଭାପତି ଅତୁଲ ସାଙ୍ଘଭିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଆସୋସିଏସନର ବରିଷ୍ଟ ସଦସ୍ୟମାନଙ୍କ ସହିତ କୋଷାଧ୍ୟକ୍ଷ କେ ଉମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆର୍‌ପିଏର ସଦସ୍ୟମାନେ ଟେଲିଫୋନ ଭବନ ନିକଟସ୍ଥ ପତାକା ସ୍ତମ୍ଭ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ପତାକା ସ୍ତମ୍ଭ ପର୍ଯ୍ୟନ୍ତ ଯାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆର୍‌ପିଏର ଉପସଭାପତି ପ୍ରକାଶ ମହାକୁଲ ଓ ସନ୍ତୋଷ ସଂଯୋଜନା ଓ ସଞ୍ଚାଳନ କରିଥିଲେ । ଏଥିରେ ଆର୍‌ପିଏର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.