କାଠ ଚୋରକୁ ଧରିଲେ ଗ୍ରାମବାସୀ, ଛାଡିଦେଲା ବନ ବିଭାଗ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଘଣ୍ଟାପଡା ସେକ୍ସନ ଉମା ବିଟ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଜଙ୍ଗଲରୁ ଗୁରୁବାର ରାତି ସାଢେ ୯ଟା ସମୟରେ ଜୈନିକ ବ୍ୟକ୍ତି ଏକ ପିକଅଫ ଡାଲା ଗାଡ଼ିରେ ୨୦ଟି କାଠବଲା ବୋଝେଇ ଖୁଣ୍ଟିଗୋରା ଦିଗକୁ ଯାଉଥିବା ସମୟରେ ସିନ୍ଧୁଗୋରା ଗ୍ରାମବାସୀ ଗାଡିକୁ ଅଟକାଇ ଘଣ୍ଟାପଡା ବନ ବିଭାଗକୁ ଖବର ଦେଇଥିଲେ । ଘଣ୍ଟାପଡା ବନପାଳ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସତ କିନ୍ତୁ କାଠବଲାକୁ ଗ୍ରାମରେ ରଖିଦେଇ ଗାଡି ଓ କାଠଚୋରକୁ ଛାଡି ଦେଇଥିଲେ । ଏହି ବିଷୟରେ ଘଣ୍ଟାପଡା ବନପାଳ ଚନ୍ଦ୍ରଶେଖର ଦାଶଙ୍କୁ ଯୋଗାଯୋଗ କରିବାରୁ ମାତ୍ର ୬ଟି କାଠବଲା ଥିବାରୁ ତାଙ୍କୁ ଛାଡି ଦେଇଥିଲୁ ବୋଲି ସଫେଇ ଦେଇଛନ୍ତି । କେହି ଜାଳେଣି ପାଇଁ ଜଙ୍ଗଲକୁ ଯାଇଥିଲେ ତାଠାରୁ ଫାଇନ ଅସୁଲି କରାଯାଉଛି କିନ୍ତୁ କେଉଁ କାରଣରୁ ଜଣେ ମାଫିଆକୁ ବନ ବିଭାଗ ଛାଡିଦେଲା ତାକୁ ନେଇ ସାଧାରଣରେ ସନ୍ଧେହ ପ୍ରକାଶ ପାଇଛି । ମାଫିଆ ସହ ବନପାଳ ସାଲାସୁତୁରା କରି ଛାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.