ବିସ୍ମୟ ବାଳକ ଦକ୍ସିତ : ମାତ୍ର ୨ବର୍ଷ ୪ମାସ ବୟସରେ ସୃଷ୍ଟି କଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ

ବୌଦ୍ଧ, (ବଂଶୀଧର ମାଝୀ) : ବୟସ କିମ୍ୱା ସ୍ଥାନର ମାନେ ନଥାଏ । ଦକ୍ଷତା ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଜଣେ କୁନି ଶିଶୁ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ । ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ହାସଲ କରିପାରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲତାଜୋର ପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମର ଦେବାନନ୍ଦ ସାହୁ ନିଜ ପୁଅ ଦକ୍ସିତ ସାହୁଙ୍କ ପ୍ରଖର ସ୍ମରଣ ଶକ୍ତି ଥିବାରୁ ଏହି ବିଷୟରେ ଜୁନ୍‌ ମାସରେ ଇଣ୍ଡିଆ ବୁକ୍‌ ରେକର୍ଡ ପାଇଁ ଆବେଦନ କରିଥିଲେ । ଇଣ୍ଡିଆ ବୁକ୍‌ ଅଫ ରେକର୍ଡର ଅଧିକାରୀମାନେ ସମସ୍ତ ପ୍ରମାଣ ଯାଞ୍ଚ କଲାପରେ ଜୁଲାଇ ୧୫ ତାରିଖରେ ତାଙ୍କୁ ଚୟନ କରାଯାଇଥିଲା । ବର୍ତ୍ତମାନ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ପକ୍ଷରୁ ମାନପତ୍ର ମିଳିସାରିଛି । ସୂଚନା ଯୋଗ୍ୟ ଯେ, ଦିକ୍ସିତ ଇଂରାଜୀରେ ଜାତୀୟ ସଂକେତ, ବର୍ଣ୍ଣମାଳା, ସଂଖ୍ୟା ଗଣନା, ହିନ୍ଦୀ ଓ ଇଂରାଜୀ ରାଇମ, ସଂସ୍କୃତ ଶ୍ଳୋକ, ଇଂରାଜୀରେ ଫଳ, ପନିପରିବା, ପଶୁପକ୍ଷୀଙ୍କ ନାମ, ସାତବାର, ବାରମାସ ଓ ଯାନବାହାନର ନାମ ନିର୍ଭୁଲ ଭାବରେ ଉଚ୍ଚାରଣ କରିପାରୁଥିବାରୁ ତାଙ୍କୁ ସବୁଠୁ କମ ବୟସର ଶିଶୁ ଭାବେ ଚଳିତ ୨୦୨୨ ବର୍ଷ ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ମିଳିଛି । ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ସ୍ଥାନରୁ ବହୁମାତ୍ରାରେ ପ୍ରଶଂସାର ସୁଅ ଛୁଟୁଛି । ଦକ୍ସିତଙ୍କ ପିତା ଦେବାନନ୍ଦ ସାହୁ ହିରୋ ମୋଟର୍ସ ସୋରୁମର ମାଲିକ ଓ ମାତା ଶ୍ରୁତି ସାହୁ ଗୃହିଣୀ ଅଟନ୍ତି ଏବଂ ତାଙ୍କ ଜେଜେ ବାପା କରୁଣାକର ସାହୁ ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ ଓ ଜେଜେ ମାଆ ଡାଳିମ୍ବ ସାହୁ ସମାଜସେବୀକା ଅଟନ୍ତି । ଯେତେବେଳେ ଦକ୍ସିତ ଦୁଇବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କୁ ଗୋଟିଏ ଥର ଯାହା କହିବ ତାକୁ ମନେ ରଖିପାରୁଥିଲେ । ଏବଂ ନୂଆଁ ନୂଆଁ ଜିନିଷ ଜାଣିବା ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ତେଣୁ ଏପରି ଦକ୍ଷତା ଦେଖି ତାଙ୍କୁ ବିଭିନ୍ନ ଖେଳଣା, ଛବିବହି ଆଦି ଆଣିଦିଅନ୍ତି । ଦକ୍ସିତଙ୍କୁ ପାଠ ପଢାଇବାରେ ମାଆ ଓ ଜେଜେ ମାଆଙ୍କ ଭୂମିକା ଅନନ୍ୟ ବୋଲି କହନ୍ତି ତାଙ୍କ ବାପା ଶ୍ରୀ ସାହୁ । ଦକ୍ସିତ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.