ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ତରଫରୁ ଅଗଷ୍ଟ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଚଢାଉ

  • ଜବତ ହେଲା ୨୪ଟି ଦୁଇ ଚକିଆ ଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ ମତେ ତା ୧୬/୦୮/୨୨ ଠାରୁ ତା ୩୦/୦୮/୨୨ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯିବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ ଏକକାଳୀନ ଆରମ୍ଭ କରାଯାଇଛି । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ବିଶେଷ ଭାବେ ବିନା ହେଲମେଟ, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ, ଟ୍ରିପଲ ରାଇଡ଼ର ଡ୍ରାଇଭିଂ, ବିନା ଇନ୍‌ସ୍ୟୁରେନ୍ସରେ ଗାଡି ଚାଳନ ଉପରେ ବିଶେଷ ପଦକ୍ଷେପ ନିଆଯାଉଛି । ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ଅବ୍ୟବସ୍ଥିତ ଗାଡି ଚାଳନା ତଥା ବିନା କାଗଜାତରେ ଗାଡିଚାଳନା ନିଜ ତଥା ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହୋଇଥାଏ ଏଣୁ ସମସ୍ତେ ଏଥି ପ୍ରତି ସତର୍କ ହେବାକୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ସର୍ତକ ଓ ସଚେତନ ହେଲେ ସଡ଼କ ଦୁର୍ଘଟଣାକୁ ରୋକା ଯାଇପାରିବା ସହ ଧନ ଜୀବନ ସୁରକ୍ଷିତ ରହିବ ଏଣୁ ସମସ୍ତେ ଗାଡିଚାଳନା ସମୟରେ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଗତକାଲି ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଞ୍ଚ ସମୟରେ ସନ୍ଧ୍ୟା ସୁଦ୍ଧା ପରିବହନ ବିଭାଗ ଦ୍ୱାରା ୩୫ ଗୋଟି ଓ ପୋଲିସ ବିଭାଗ ଦ୍ୱାରା ୫୭ ଗୋଟି ସମୁଦାୟ ୯୨ ଗୋଟି ଦୁଇଚକିଆ ଯାନର ଇ-ଚାଲାଣ କରାଯାଇଥିବା ବେଳେ ୨୪ ଗୋଟି ଦୁଇ ଚକିଆ ଗାଡିକୁ ଜବତ କରାଯାଇ ଗାଡି ଗୁଡିକୁ ସୋନପୁର ଓ ଉଲୁଣ୍ଡା ଥାନା ସହ ହିକୁଡି ଫାଣ୍ଡି କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଏସଡିପି ଓ ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ, ଏସଡିପି ଓ ବୀରମହାରାଜପୁର ଡୋଳାମଣି ଭୋଇ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ ସମେତ ସୋନପୁର ସହରାଞ୍ଚଳ ତଥା ଅନ୍ୟ ସମସ୍ତ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା କଡାକଡି କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.