ପୁଣି ସମୁଦ୍ରର ଆଁରେ ଲୀନ ହେଲେ ପୋଡମପେଟା ଗାଁର ଆଉ ତିନି ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉଚ୍ଚ ଜୁଆର ସାଙ୍ଗକୁ ଲଘୁଚାପ ଜନିତ ଅଶାନ୍ତ ସମୁଦ୍ରର ଉଚ୍ଚ ଲହଡ଼ିମାଡ଼ ପ୍ରଭାଵରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ତିନୋଟି ଘର ସମୁଦ୍ରର ଆଁ ମଧ୍ୟରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ନିଜ ପିଲା ପରିବାରକୁ ନେଇ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିକଟରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ରାତ୍ର ସମୟରେ ଆଶାନ୍ତ ସମୁଦ୍ରର ଭୟଙ୍କର ଗର୍ଜନର କାହାଣୀ ଘର ନପାଇ ଉକ୍ତ ଗ୍ରାମରେ ରହିଯାଇଥିବା ୬୫ବର୍ଷୀୟ ବୃଦ୍ଧା ସିଏଚ ନାର୍ଶା ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି । ସୂଚନା ଅନୁସାରେ ଏବେ ମଧ୍ୟ ସିଏଚ ନାର୍ଶା, ଜେ. ଶୁକାନ୍ତି, ଜେ. ଟିଟୁ, ସିଏଚ. ବୁଲଡୁ, ଜେ. ଶିବାନନ୍ଦ ପ୍ରମୁଖ ୬ ପରିବାରକୁ ପ୍ରଶାସନ ପକ୍ଷରୁ ଓଡ଼ିଆରପି ଗୃହ ମିଳି ନଥିବାରୁ ଉକ୍ତ ଗ୍ରାମରେ ଆତଙ୍କିତ ଭାବରେ ପଡିରହିଛନ୍ତି । ସେଥି ମଧ୍ୟରୁ ସିଏଚ. ବୁଲଡୁ ନିଜ ଘରଟି ସମୁଦ୍ରରେ ମିଶିଗଲା ପରେ ନିଜ ସମ୍ପର୍କିୟ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଥିବା ବେଳେ ଜେ. ଶିବାନନ୍ଦ ପରିବାର ଭୟଭୀତ ହୋଇ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ପୂର୍ବରୁ ଓଡ଼ିଆରପି ଗୃହ ମିଳିଥିଲେ ମଧ୍ୟ ପରିବାରରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସିଏଚ. ପୋଟଡୁ, ବି. ବାବାଜୀଙ୍କ ପରିବାର ଉକ୍ତ ଗ୍ରାମରେ ଆତଙ୍କିତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି । ସମ୍ପ୍ରତି ଉକ୍ତ ଗ୍ରାମର ସମୁଦାୟ ୮ ପରିବାର ଘର ପାଇନଥିବା ଅଭିଜୋଗ ହେଉଛି । ଗତ କିଛି ଦିନ ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଘର ସମୁଦ୍ର ମଧ୍ୟରେ ମିଶିଲାଣି । ଏନେଇ ତହସିଲଦାର ଅରୁଣ କୁମାର ନାୟକ ପୋଡ଼ମପେଟା ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନା ଥାଉ କି, ସମୁଦ୍ର କୂଳ ଲଙ୍ଘିବା କାରଣରୁ ଉକ୍ତ ଗ୍ରାମର ୨୦୦୪ ମସିହାରେ ୧୧୦ ପରିବାରକୁ ରା୍ମଗଡ଼ ପଞ୍ଚାୟତର ଡୁମୁନାଗିରି ପାଦଦେଶ ପାଲୁର ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରାଯାଇଥିବା ବେଳେ ୨୦୧୮ ମସିହାରେ ମୟୂର ପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ପ୍ରାୟ ୪୦୦ ପରିବାରକୁ ଓଡ଼ିଆରପି ଗୃହ ପ୍ରଦାନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରରୁ ଥଇଥାନ କରାଯାଇଥିଲା । ସମ୍ପ୍ରତି ଉକ୍ତ ଗ୍ରାମରେ ରହିଯାଇଥିବା ପରିବାରଙ୍କୁ ଥଇଥାନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.