ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରବଳ ବର୍ଷା ସତ୍ୱେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଆଜି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ଦେଶ ଆଜି ସ୍ୱାଧୀନତାର ୭୬ ବର୍ଷ ପାଳନ କରୁଥିବା ବେଳେ ଦେଶକୁ ସ୍ୱାଧୀନ ପାଇଁ ବଳିଦାନ ଦେଇଥିବା ଏ ମାଟିର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ରାଜ୍ୟର ଉନ୍ନତି ପାଇଁ ସରକାର ନେଇଥିବା ବିଭନ୍ନ ଲୋକ ହିତକର ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ । ପ୍ୟାରେଡ୍‌କୁ ରିଜର୍ଭ ଇନ୍ସପେକ୍ଟର ଚୂଡାମଣି ନାୟକ ପରିଚାଳନା କରିଥିଲେ । ଏହି ଅବସରରେ ଗତ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦ଜଣ (କୋଭିଡ ଯୋଦ୍ଧା) ସ୍ୱାସ୍ଥ୍ୟ, ସଫେଇ ଓ ପୋଲିସ କର୍ମଚାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ ସମ୍ମାନିତ କରିଥିଲେ । ଚଳିତ ବର୍ଷ ହସ୍ତତନ୍ତ କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ୧୯ ଜଣ ବୁଣାକାର ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସେହିପରି ଶହୀଦ ପରିବାର ସଦସ୍ୟଙ୍କୁ ଜମି ପଟ୍ଟା ମନ୍ତ୍ରୀ ଶ୍ରୀ ଦାସ ବଣ୍ଟନ କରିଥିଲେ । ଉତ୍ସବ ସ୍ଥଳୀରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ଆଜି ସକାଳୁ ରାମଧୂନ ସହରରେ ବୁଲିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପୂଜ୍ୟପୂଜାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.