ଦିବ୍ୟରଂଜନଙ୍କ ମୃତଦେହ ସହ ଧର୍ମପତ୍ନୀ ସୌମ୍ୟା ସେଫାଳିକାଙ୍କ ସ୍ୱପ୍ନ ଜଳିଗଲା ଜୁଇରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ନିବାସୀ ତଥା ବରଗଡ ଜିଲ୍ଲା ବରପାଲି ପିଏନ୍‌ବି ବ୍ୟାଙ୍କର କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଗତକାଲି ଅପରାହ୍ନରେ ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରେ ଉଦ୍ଧାର ହୋଇଥିବା ବେଳେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ବଲାଙ୍ଗିରରେ ରାତି ପ୍ରାୟ ସାଢେ ୧୨ଟା ସମୟରେ ପହଂଚିଥିଲା । ଏହାପରେ ବିଳମ୍ବିତ ରାତିରେ ହିଁ ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିଲା । ଦିବ୍ୟରଂଜନଙ୍କ ମୃତଦେହ ସହ ଧର୍ମପତ୍ନୀ ସୌମ୍ୟା ସେଫାଳିକାଙ୍କ ସ୍ୱପ୍ନ ଜଳିଗଲା ଜୁଇରେ । ଏମ୍‌ଏସ୍‌ସି ପାଠ ପଢ଼ା ସାରିବା ପରେ ପରେ ଦିବ୍ୟରଂଜନଙ୍କ ସହଧର୍ମିଣୀ ସାଜିଥିଲେ ପ୍ରାୟ ଅଢେଇ ବର୍ଷ ତଳେ ସୌମ୍ୟା ସେଫାଳିକା । ଏବେ ତାଙ୍କ କୋଳରେ ଦେଢ଼ବର୍ଷ ବୟସର ଶିଶୁ କନ୍ୟାଟିଏ । ଜୀବନରେ ଅନେକ ସ୍ୱପ୍ନ ଦେଖିଥିବା ସୌମ୍ୟାଙ୍କ ଭବିଷ୍ୟତକୁ ସ୍ୱାମୀଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଅନ୍ଧାକାରମୟ କରି ଦେଇଛି । ଏଭଳି ଦାରୁଣ ପରିସ୍ଥିତିରେ ସଂପୂର୍ଣ୍ଣ ଭାଂଗି ପଡ଼ିଛନ୍ତି ସୌମ୍ୟା । ପୁଣି ଦିବ୍ୟରଂଜନ ଏବଂ ସୌମ୍ୟାଙ୍କ ପରିବାରରେ ବିକଳ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏବେ ବି ରହସ୍ୟ ଘେରରେ ରହିଛି ଦିବ୍ୟରଂଜନଙ୍କ ମୃତ୍ୟୁ ଘଟଣା । ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ନା ଅନ୍ୟ କିଛି…. ଘଟଣା ଉପରୁ ଏଯାଏଁ ଉଠି ପାରିନାହିଁ ପରଦା । ମାତ୍ର ଦୁଇ ମାସ ଭିତରେ ପଶ୍ଚିମବଙ୍ଗ ମେଦିନୀପୁରର କେତୋଟି ବ୍ୟାଙ୍କ ଆକାଉଣ୍ଟକୁ ଦିବ୍ୟରଂଜନ କାହିଁକି ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ, ତାହା ଏବେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏହି ଘଟଣା ପଛରେ କୌଣସି ଅନୈତିକ ସଂପର୍କ ରହିଛି ନା’ ହନି ଟ୍ରାପ୍‌ରେ ବ୍ଲାକ୍‌ ମେଲିଂର ଶିକାର ହୋଇଛନ୍ତି ଦିବ୍ୟରଂଜନ, ସେ ଦିଗରେ ଅନୁସଂଧାନର ଆବଶ୍ୟକତା ରହିଛି । ପୁଣି ଏହି ଘଟଣା ପଛରେ ଆହୁରି ଅନେକ ଦିଗ ନଜର୍‌କୁ ଆସୁଥିବା ଲୋକେ ଆଲୋଚନା କରୁଛନ୍ତି । ବିନିକାରୁ ବରପାଲିକୁ ଫେରୁଛି ବୋଲି ସ୍ତ୍ରୀଙ୍କୁ ଅପରାହ୍ନ ସାଢେ ୫ଟା ସମୟରେ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ କହିଥିବା ଦିବ୍ୟରଂଜନ ରାମପୁରରୁ ବାଏପାସ୍‌ ରାସ୍ତାରେ ବରପାଲି ନଯାଇ ଡୁଙ୍ଗୁରିପାଲିକୁ ଆସିଲେ କାହିଁକି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୁଣି ପାଖାପାଖି ସଂଧ୍ୟା ୭ଟା ପରେ ତାଙ୍କ ମୋବାଇଲ୍‌ ସୁଇଜ୍‌ ଅପ୍‌ ହେବା, ରାତି ପ୍ରାୟ ୧୧ଟା ୧୫ମି.ରେ ସେ ଚେରୁପାଲି ନିକଟସ୍ଥ ଅଙ୍ଗ ନଦୀ ବ୍ରିଜ୍‌ ଉପରୁ ସେ ନଦୀ ଗର୍ଭକୁ ଡେଇଁଥିବା ଜଣେ ଯୁବକଙ୍କ ନଜର୍‌କୁ ଆସିବା ସହ ସେଠାରେ ଦିବ୍ୟରଂଜନଙ୍କ ବାଇକ୍‌ ନିକଟରେ ଏକ କାର୍‌ ରହିଥିବା ବିଷୟ ଘଟଣାକୁ ଆହୁରି ରହସ୍ୟାବୃତ କରୁଛି । ଏହି ଘଟଣା ପଛରେ ବ୍ଲାକ୍‌ମେଲିଂ ସହ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟାକାଣ୍ଡର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

ତେବେ ଦିବ୍ୟରଂଜନଙ୍କ ଧର୍ମପତ୍ନୀ ସୌମ୍ୟାଙ୍କ ସହ ତାଙ୍କ ପିତାମାତାଙ୍କ ପାଇଁ ଏବେ ଜଟିଳ ତଥା ଦାରୁଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାରା ଶାନ୍ତିପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବାସ୍ତବରେ ଦିବ୍ୟରଂଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ନା’ ବ୍ଲାକ୍‌ମେଲିଂର ସାମ୍ନା କରି ପରାସ୍ତ ହେବା ଭଳି ସ୍ଥିତିରେ ଦିବ୍ୟରଂଜନ ଆତ୍ମହତ୍ୟା କରିଛନ୍ତି, ସେ ଦିଗରେ ମଧ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅନ୍ଧାର ଘୋଟି ରହିଛି । ତେବେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ପରିବାରବର୍ଗ ପୋଲିସ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.