
କଟକ, (ସସ୍ମିତା ପ୍ରଧାନ) : ବାବା ଧବଳେଶ୍ଵର ସାରସ୍ୱତ ପରିଷଦ ତରଫରୁ ଭୋଳା ଶଙ୍କର ସେବା ସମ୍ମାନ, ଭୋଳା ଶଙ୍କର ସାହିତ୍ୟ ସମ୍ମାନ ଏବଂ ଭୋଳା ଶଙ୍କର ସଙ୍ଗୀତ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଆଠଟି ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକଙ୍କୁ ଧବଳେଶ୍ଵର ଘାଟଠାରେ ହଜାର ହଜାର କାଉଡ଼ିଆଙ୍କ ଗହଣରେ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସବୁ ଯୁବ ସେବକମାନଙ୍କୁ ଉତ୍ସାହିତ କରିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତା ଅତ୍ୟନ୍ତ ଆନନ୍ଦିତ । ଶ୍ରାବଣ ମାସରେ ବାବା ଧବଳେଶ୍ଵର ପୀଠରେ ମହାଦେବଙ୍କ ମସ୍ତକରେ ଜଳଲାଗି କରାଯାଇଥାଏ । କାଉଡ଼ିଆ ଦୂର ଦୁରାନ୍ତରୁ ଖାଲି ପାଦରେ ସାଜସଜ୍ଜା ସହିତ ଜଳଧରି ମହାଦେବଙ୍କ ନିକଟକୁ ଆସିଥାଏ । ଅନେକ ସେବକ ସଂଗଠନ ସେମାନଙ୍କର ସେବା କରିବା ସହିତ ବିଧି ମୁତାବକ ଭୋଜନ ପ୍ରଦାନ କରିଥାଆନ୍ତି । ସଂସାରରେ ମହାଦେବଙ୍କ ସେବକଙ୍କ ସେବାକରୀଙ୍କୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ଏହି ଅବସରରେ ଏହି ସେବାକାରୀ ଅନୁଷ୍ଠାନର ଉତ୍ସାହ ବୃଦ୍ଧି କରିବା ପାଇଁ ଭୋଳା ଶଙ୍କର ସେବା ସମ୍ମାନ ୨୦୨୨ ଆଠ ଗୋଟି ଅନୁଷ୍ଠାନକୁ ପ୍ରଦାନ କରାଯାଇଥିଲା । ଭୋଳା ଶଙ୍କରଙ୍କ ମହିମାକୁ ସାହିତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବାରୁ ବିପିନ ବିହାରୀ ବାରିକଙ୍କୁ ଭୋଳା ଶଙ୍କର ସାହିତ୍ୟ ସମ୍ମାନ ଏବଂ ବିରେନ୍ଦ୍ର କୁମାର ଜେନାଙ୍କୁ ଭୋଳା ଶଙ୍କର ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି । ସେବା ସମ୍ମାନରେ ବିଭୂଷିତ ହୋଇଥିବା ଅନୁଷ୍ଠାନ ଗୁଡ଼ିକ ହେଲେ କଟକର ରାମେଶ୍ୱର ଜୀଉ ସେବାସଂଘ, ମହାକାଳ କାଉଡ଼ିଆ ସେବା ସଂଘ, ଭୁଆସୁଣୀ ବୋଲବମ ସେବା ସଂଘ, କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ, କାଉଡ଼ିଆ ସେବା ସଂଘ, ନୂଆପଡ଼ା, ପଲ୍ଲୀଶ୍ରୀ କାଉଡ଼ିଆ ସଂଘ,
କାଉଡ଼ିଆ ସେବା ସଂଘ ପରିଷଦ, କାଉଡ଼ିଆ ସେବା ସଂଘ, ଛତ୍ରବଜାର । ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ପ୍ରଫେସର ନୀଳକଣ୍ଠ ରାଉତ, ବିପିନ ବିହାରୀ ବାରିକ, ସାଗର କୁମାର ସାମନ୍ତରାୟ, ବିରେନ୍ଦ୍ର କୁମାର ଜେନା, ଭରତ ମିଶ୍ର, ଏବଂ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ଯୁବ ବ୍ୟକ୍ତିତ୍ଵମାନଙ୍କୁ ଅନୁଷ୍ଠାନର ଫଳକ, ଉତ୍ତରୀୟ, ଫୁଲତୋଡ଼ା ସହିତ ପ୍ରେରଣାଦାୟୀ ଶବ୍ଦରେ ଉତ୍ସାହିତ କରିଥିଲେ । ଏହା ଏକ ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି ହଜାର ହଜାର ଯୁବ ପ୍ରତିଭାମାନେ ମତବ୍ୟକ୍ତ କରିଥିଲେ ।