ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମୋତ୍ସବ ତଥା ଭାରତର ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଅରବିନ୍ଦ ଯୋଗ ମନ୍ଦିର ଓ ସ୍କୁଲ ଆନୁକୂଲ୍ୟରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମୋତ୍ସବ ଓ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ସିଭିକ ସେଣ୍ଟେରଠାରେ ଦିବସ ବ୍ୟାପୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ଆଧାରିତ ଏକ ସଦଭାବନା ରଥ ସହର ପରିକ୍ରମା କରିଥିଲା । ମୁଖ୍ୟ ଅତିଥି ଭାବେ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ଶତପଥି । ଏଥିରେ ଆବାହନ ମନ୍ତ୍ର ପାଠ କରିଥିଲେ ରାଜଗାଙ୍ଗପୁର ଶ୍ରୀଅରବିନ୍ଦ ସ୍କୁଲର ଛାତ୍ରଛାତ୍ରୀ ବୃନ୍ଦ ତଥା ନମିତା ନାୟକ, ରଶରାଜ ନାୟକ । ଅନୁଷ୍ଠାନର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ରରେ ବରେଣ୍ୟ ବକ୍ତା ଭାବେ ଯୋଗଦାନ କରି ଥିଵା ବରଗଡ ପଂଚାୟତ କଲେଜର ଇଂରାଜୀ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହୁ ଓ ହୃଷିକେଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ବିଶ୍ୱ ଇତିହାସରେ ଶ୍ରୀଅରବିନ୍ଦଙ୍କ ଜୀବନର କିଛି ଅନାଲୋଚିତ ଦିଗ ଉପରେ ଆଲୋଚନା କରିଥିଲେ । ଅପରାହ୍ନରେ ଯୋଗ ମନ୍ଦିର ଏନେକ୍ସ ହଲରେ ଶ୍ରୀଅରବିନ୍ଦଙ୍କ ଜୀବନ ସମ୍ପର୍କିତ ଏକ କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ସାଂନ୍ଧ୍ୟ ଅଧିବେଶନରେ ବରେଣ୍ୟ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ଡକ୍ଟର ଚିତ୍ତରଞ୍ଜନ ସାହୁ ଓ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଶିକ୍ଷୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନା ଡାକ୍ତର ପାତ୍ର ଓ ଚିତ୍ତରଂଜନ ନନ୍ଦୀଙ୍କ ପରିକଳ୍ପନା, ଗୌତମ ଦାସଙ୍କ ରଚିତ, ବବିତା ମହାଳିକ ଓ ଗୀତାରାଣୀ ବେହେରାଙ୍କ ନିର୍ଦ୍ଦେଶିତ ତଥା ଭାସ୍କର ପୁହାଣଙ୍କ ସଂଗୀତ ନିର୍ଦ୍ଦେଶନାରେ ନାଟକ ବୋଝ ପ୍ରଦର୍ଶିତ ହୋଇଥିଲା । ଏଥିରେ ଆଶିଷ, ସ୍ୱୟଂ, ସ୍ମୃତି ରେଖା, ମନୁ, ନମନ, ଆଶୁତୋଷ, ସ୍ମୃତିରଂଜନ, ସୌମ୍ୟରଂଜନ ଓ ଗୀତାରାଣୀ ଅଭିନୟ କରିଥିଲା ବେଳେ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.