କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ମୁରଷୁଣ୍ଢି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ସାହୁଙ୍କ ସରକାରୀ ଚାକିରିରୁ ଅବସର ନେବା ଅବସରରେ ଆଂଚଳିକ ସାଧନ କେନ୍ଦ୍ର, ସାଲେଭଟାରେ ସିଆରସିସି ସଦାନନ୍ଦ ଭୁଏଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସାଲେଭଟା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ ସଭାରେ ଅଧ୍ୟକ୍ଷତା କରିଥିଲେ । ଆଗଲପୁର ବ୍ଲକ ଏବିଇଓ ଆଦିତ୍ୟ କୁମାର ବନ୍ଦିଛୋର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ସଂପାଦକ ଦିଲ୍ଲିପ ବେହେରା, ମିଳିତ ଶିକ୍ଷକ ସଂଘ ସଭାପତି ଜୟରାମ ଧଳ, ସାଲେଭଟା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଆଦର୍ଶ ଶିକ୍ଷକ ନେତ୍ରାନନ୍ଦ ସାହୁଙ୍କ ଶିକ୍ଷା, ଶିକ୍ଷାୟତନ ଓ ସମାଜ ପ୍ରତି ଦେଇଥିବା ଅବଦାନ ସମ୍ବନ୍ଧରେ କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ ଓ ଶିକ୍ଷୟତ୍ରୀ ଗୋବିନ୍ଦ ସାହୁ, ସୁଶାନ୍ତ କୁମାର ନନ୍ଦ, ସୁଦାମ ପଟେଲ, ଧରିତ୍ରୀ ସାହୁ, ଜାହ୍ନବୀ ପଟେଲ, କମଲୀନୀ ସାହୁ, ନମିତା ସାହୁ, ଦୟାନନ୍ଦ ସାହୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ସାହୁ ନିଜ ଶିକ୍ଷକତା ଜୀବନର ଅନୁଭୂତି କହିଥିଲେ ଏବଂ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । କ୍ଲଷ୍ଟର ତରଫରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପଦୋନ୍ନତୀ ପାଇଥିବା ନୂତନ ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଖଲିଆପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ସଂଯୋଜନା କରିଥିବା ବେଳେ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁନ୍ତୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ଅଳକା ପଣ୍ଡା, ମାମୀ ଭୋଇ, ନିହାରିକା ଦଳେଇ, ଦଶରଥ ପଟେଲ, ମୁରାରୀଧର ବାବୁ, ଶ୍ରୀକାନ୍ତ ଛତ୍ରୀଆ, ସୁରେଶ ଭୋଇ, ଗୋବିନ୍ଦ ଭୋଇ, ରାଜକିଶୋର ମାହାକୁର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.