କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଗତକାଲି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓପିଟିସିଏଲ୍ ଓ ଟିପିଡବ୍ଲୁଏଲର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସାରା ଭାରତବର୍ଷରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି । ଗତକାଲି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି.ଏମ ଏସ କେ ଚାଖି, ଓପିଟିସିଏଲ୍ ଜିଏମ ଅଜୟ କୁମାର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବିଡିଓ ବିନୟ ଭୋଇ, ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହା ଦ୍ୱାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବା ସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନ ଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣରେ ସାହାଯ୍ୟ ହେବ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନକୁ ଗୁରୁତ୍ୱ ଦେବାକୁ କହିଥିଲେ । ପାୱାରଗ୍ରିଡ ଜିଏମ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ ।
ସଭା ପରେ ବିଦ୍ୟୁତ ସେବା, ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି, ଗ୍ରାମ୍ୟ ବିଦ୍ୟୁତକରଣ, ପାୱାରଗ୍ରିଡ, ବିଦ୍ୟୁତ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା । ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା । ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ସଂଜୀବ କୁମାର ସିଂ ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଅଜୟ କୁମାର ନନ୍ଦ, ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମାଟି, ଡିଆଇପିଆର୍ଓ ମନୋଜ ବେହେରା, ତହସିଲଦାର ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶଙ୍କର ନାଗ, ଜିଲ୍ଲା ପରିଷଦ ସଦସ୍ୟ, ବିରୋଧୀ ଦଳ ନେତା ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଦ୍ୟୁତ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସଭା ପରିଚାଳନାରେ ପାୱାରଗ୍ରିଡ ଜିଏମ ଉମାକାନ୍ତ ଶୁକ୍ଳ, ପାୱାରଗ୍ରିଡ ମ୍ୟାନେଜର ଆଶୁତୋଷ ଦଳ ବେହେରା, ଏସ୍ଡିଓ ଓପିଟିସିଏଲ୍ ରଞ୍ଜନ କୁମାର ସାହୁ, ପାୱାରଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ ।