ବୀମାରାଶି ନ ମିଳିବା ପ୍ରତିବାଦରେ ଗାଇସିଲେଟରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ଫସଲ ବୀମା କ୍ଷତି ପୂରଣ ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗରେ ଏବଂ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ କୂଳ ସହ ଛକାପଞ୍ଛା ଖେଳ ଏବଂ ଫସଲ ବୀମା ଆଇନକୁ ଉଲଙ୍ଘନ କରୁଥିବା ପ୍ରତିବାଦରେ ବାଧ୍ୟ ହୋଇ ଆଜି ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଗାଇସିଲେଟ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ରାଳୟ,ଗାଡି ମଟର, ଦୋକାନ ବଜାର ସ୍କୁଲ, କଲେଜ ବନ୍ଦ କରିବା ପାଇଁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ତଥା ବିଜେପି, ବିଜେଡି, କଂଗ୍ରେସ, ବଣିକ ସଂଘ, ସିଏସ୍‌ସି ସଂଘ, ବିଏସ୍‌ପି, ନାଗରିକ କମିଟି, ୟୁଥ କ୍ଲବ, କୋସଲ ରାଜ୍ୟ ମୁକ୍ତି ମୋର୍ଚା, କୃଷକ ସାଥୀମାନେ ସମର୍ଥନ ଜଣାଇଛନ୍ତି ଏବଂ ଅନେକ କୃଷକ ସଙ୍ଗଠନମାନେ ସକ୍ରିୟ ସହଯୋଗ କରୁଥିବାର ଜଣାଯାଏ । ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାନ ବାହନ ଅଟକି ରହିଛି । ଗାଇସିଲେଟ ବ୍ଲକରେ ସହିଦ ଛକ ଗାଇସିଲେଟ, ତାଳପାଲି, ଭାଙ୍ଗମୁଣ୍ଡା ଛକ, ଚାରିଛକରେ ବନ୍ଦ ପାଳନର ପ୍ରଭାବ ଅବ୍ୟାହତ ରହିଛି । ଏହି ବନ୍ଦରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ଅରବିନ୍ଦ ପଣ୍ଡା, ଉପ ସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ପଧାନ, ଆବାହକ ବିରେନ୍ଦ୍ର ପଧାନ, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଜେପି ଜିଲ୍ଲା ଉପ ସଭାପତି ପ୍ରବୀଣ ପାଣିଗ୍ରାହୀ, ମଦନ ଦୀପ, କଂଗ୍ରେସ ସଭାପତି ଘନ ପାତ୍ର, ଆଦିକନ୍ଦ ପୁରୋହିତ, ସମାରୁ ସାହୁ, ଅଗସ୍ତି ସାହୁ, କ୍ଷୀରୋଦ୍ର ସାହୁ, ମୋହନ ସିଂ ବରିହା, ବିଏସ୍‌ପିର ଧବଳେଶ୍ୱର ମହାନନ୍ଦ, ଫକୀର ଦୀପ, ବିରେନ୍ଦ୍ର ସାହୁ, ପ୍ରଦୀପ ସାହୁ ଓ ଅନେକ ଚାଷୀ ଉପସ୍ଥିତ ଥିଲେ । ଏହି ବନ୍ଦକୁ ବଲାଙ୍ଗିର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ସମର୍ଥନ ଜଣାଇ ଥିଲେ ।

Leave A Reply

Your email address will not be published.