ଭିଜନ କ୍ଲିନ ସୋନପୁର : ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଭିଜନକୁ ସାକାର କରିବ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର ଭାବେ ଗଢି ତୋଳିବା ନିମନ୍ତେ ଭିଜନ ‘କ୍ଲିନ ସୋନପୁର’ ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗତ ତା ୩୦/୦୬/୨୨ରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ସେହି ଯୋଜନା ଅନୁଯାୟୀ ତା ୧୩/୦୭/୨୨ରୁ ଭିଜନ କ୍ଲିନ ସୋନପୁରକୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌର ପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ଅନୁଯାୟୀ ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କ ତତ୍ୱାବଧାନରେ ସମସ୍ତ ସ୍ୱଚ୍ଛସାଥି, ସୁପରଭାଇଜର, ଟେକ୍ସ ସଂଗ୍ରାହକ, ତଥା ସମସ୍ତ ସ୍ଥାନୀୟ ପୌର ପରିଷଦ କାଉନସିଲର ପ୍ରମୁଖ ସହରକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ନିମନ୍ତେ ପୌର ପରିଷଦ ତରଫରୁ ଅନୁଷ୍ଠିତ ସ୍ୱଚ୍ଛତା ସଚେତନତା ରାଲିରେ ଯୋଗଦାନ କରିଥିଲେ । ଏହି ରାଲି ସହର ସ୍ଥିତ କସ୍ତୁରୀ ହୋଟେଲ ଛକଠାରୁ କଚେରୀ ଛକ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକମାନଙ୍କୁ ନିଜ ନିଜର ପ୍ରତିଷ୍ଠାନ ଗୁଡ଼ିକରୁ ଦୈନନ୍ଦିନ ବାହାରୁଥିବା ଅଳିଆ ଆବର୍ଜନା ଗୁଡିକର ଉପଯୁକ୍ତ ପରିଚାଳନା, ସଂଗ୍ରହ ଓ ନିର୍ଗମଣ, ସ୍ୱତନ୍ତ୍ର ଆବର୍ଜନା କୁଣ୍ଡର ବ୍ୟବହାର, ନିର୍ଦ୍ଧିଷ୍ଟ ସମୟରେ ବ୍ୟବହାରିକ ଫି ପୈଠ କରିବା, ପ୍ରତିଷ୍ଠାନ ସମ୍ମୁଖରେ ଥିବା ସର୍ବସାଧାରଣ ନାଳରେ ଅଳିଆ ଆବର୍ଜନାକୁ ନ ପକାଇ ନିର୍ଦ୍ଧିଷ୍ଟ ବ୍ୟବହୃତ ଆବର୍ଜନା କୁଣ୍ଡର ବ୍ୟବହାରକୁ ସୁନିଶ୍ଚିତ କରିବା ନିମନ୍ତେ ସାମୁହିକ ଭାବେ ସଚେତନତା କରାଇଥିଲେ । ପରେ ପରେ କ୍ଲିନ ସୋନପୁର ନିମନ୍ତେ ନିୟୋଜିତ ସ୍ୱତନ୍ତ୍ର ନୋଡାଲ ଅଧିକାରିଣୀ ତଥା ଡେପୁଟି କଲେକ୍ଟର ଶ୍ରୀମତୀ ଇପ୍ସିତା ମିଶ୍ରଙ୍କ ତତ୍ୱାବଧାନରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱଚ୍ଛ ସାଥି, ସମ୍ପୃକ୍ତ କାଉନସିଲର, ପୌର ପରିଷଦର କର୍ମଚାରୀ ପ୍ରମୁଖ ସହରର ବିଭିନ୍ନ ଅଂଚଳକୁ ଯାଇ ଆବାସିକ ଗୃହ ମୁଖ୍ୟଙ୍କ ସହ ପ୍ରତ୍ୟକ୍ଷ ସାକ୍ଷତ ଆଲୋଚନା କରି ଘରେ ବ୍ୟବହୃତ ପାଇଖାନାର ବର୍ଜ୍ୟ ନିର୍ଗମଣ ନଳ, ଯାହା ସିଧା ସଳଖ ସର୍ବସାଧାରଣ ନାଳରେ ସଂଯୋଗ ରହିଛି ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରି ବର୍ଜ୍ୟ ନିର୍ଗମଣ ପାଇପକୁ ୩୧ଜୁଲାଇ ୨୦୨୨ ସୁଦ୍ଧା ସ୍ୱତନ୍ତ୍ର ଟାଙ୍କି ନିର୍ମାଣ କରି ସଂଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ପୁନଶ୍ଚ ଉପଜିଲ୍ଲାପାଳ ସୋନପୁର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ୱରେ ମୁଖ୍ୟ ରାସ୍ତାରେ ଆମ୍ବେଦକର ଛକଠାରୁ ଦିନେଶ କିରାନା ଦୋକାନ ପର୍ଯ୍ୟନ୍ତ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ତଥା ରାସ୍ତାକଡ଼ ଉଠାଦୋକାନୀ, ଠେଲା ଦୋକାନୀ ପ୍ରଭୁତିଙ୍କୁ ସ୍ୱଚ୍ଛ ସୋନପୁର ପରିପ୍ରେକ୍ଷୀରେ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଉପରେ ସଚେତନତା କରାଇବା ସହ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ଚଢ଼ାଉ କରାଯାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କୁ ଜୋରିମାନା କରାଯାଇ ନଗଦ ୨୨୦୦/-ଙ୍କା ଆଦାୟ କରାଯାଇଥିଲା । ପୁନଶ୍ଚ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଆବାସିକ ଗୃହ ମାଲିକମାନଙ୍କୁ ପ୍ରତିଷ୍ଠାନ ତଥା ଆବାସିକ ଗୃହ ସମ୍ମୁଖରେ ଥିବା ସର୍ବସାଧାରଣ ନାଲାକୁ ୨୪ ଘଣ୍ଟା ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ସୋନପୁର । ସୋନପୁର ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ । ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ, ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ ‘କ୍ଲିନ ସୋନପୁର’କୁ ସାକାର କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.