ଗଞ୍ଜାମ ଅଞ୍ଚଳବାସୀଙ୍କ ବିକ୍ଷୋଭ : ତହସିଲଦାର ହଟାଓ ନାରା ଦେଇ ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଭିନ୍ନ ସମୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପାଇଁ ଅଡୁଆ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଅଧିକ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘର ଭାଙ୍ଗିବାକୁ ଜେସିବି ମେସିନ ଧରି ଆସିବା ତହସିଲଦାରଙ୍କୁ ମହଙ୍ଗା ପଡିଛି । ସ୍ଥାନୀୟ ଅଂଚଳବାସୀ ଏହାର ଘୋର ବିରୋଧ କରିଥିଲେ । ତା’ ପରଠାରୁ ତହସିଲଦାର ଓ ସ୍ଥାନୀୟ ଅଂଚଳ ବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ । ଏନେଇ ତହସିଲଦାରଙ୍କ ଅନ୍ୟାୟ, ଦୁର୍ନୀତି ଓ ଆକ୍ରୋଶମୂଳକ କାର୍ଯ୍ୟକୁ ପ୍ରତିବାଦ କରି ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଞ୍ଚଳବାସୀ । ବିକ୍ଷୋଭକାରୀମାନେ ତହସିଲଦାର ହଟାଓ ଗଞ୍ଜାମ ବଞ୍ଚାଓ ଦାବୀରେ ଏନଏସି ଅଫିସ ଆଗରୁ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ତ୍ରିବେଣୀ ମଠ ଛକ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଗଣଧାରଣାରେ ବସିଥିଲେ ସ୍ଥାନୀୟ ଜନସାଧାରଣ । ତହସିଲଦାରଙ୍କୁ ତୁରନ୍ତ ବଦଳି ଦାବୀ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଗଞ୍ଜାମ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା କିଛି ମାତ୍ରାରେ ସଫଳ ହୋଇଥିବା ସହରରେ ଚର୍ଚ୍ଚା ହେଉଛି । ଏହି ବନ୍ଦ ଡାକରା ନେଇ ସହରରେ ମେଡ଼ିସିନ ଦୋକାନକୁ ଛାଡି ବଡ଼ ବଜାରଠାରେ ଥିବା ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ପୂର୍ବରୁ ବନ୍ଦ ଡାକରାକୁ ସମର୍ଥନ କରି ନଥିବା ସାନ ବଜାରରେ ଅଧିକାଂଶ ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଲକ୍ଷ୍ମୀ ଚରଣ ପାଢ଼ୀ, ସୁଦାମ ଚରଣ ଜେନା, ସନ୍ତୋଷ ଗୌଡ଼, ଭଗବାନ ପ୍ରଧାନ, ଟୁନା ଶତପଥୀ, ଶୁଭ ପଟ୍ଟନାୟକ, ଗୌରୀ ପାଢ଼ୀ, ଅରୁଣ ପଣ୍ଡା, ଦାଶରଥି ଦୋରା, ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ବ୍ୟବସାୟୀମାନେ ଯୋଗ ଦେଇଥିଲେ । ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କୁ ବଦଳି ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ଯଦି ଏକ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ନ ହୁଏ ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିକ୍ଷୋଭକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.