ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟ ଓ ସଂସଦର ସଂପାଦକ ରାଜୀବ ପାଣିଙ୍କ ଆବାହକତ୍ୱ ତଥା ରାଜକୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ‘ଆମ ସଂସ୍କୃତିରେ ଶ୍ରୀ ଜଗନ୍ନାଥ’ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖି କହିଥିଲେ ଯେ, ବିଶ୍ୱନାଥ ଓ ଜଗତର ନାଥ ଜଗନ୍ନାଥଙ୍କ ମଧ୍ୟରେ ଅନେକ ତାରତମ୍ୟ ରହିଛି । ବେଦ ଓ ଶାସ୍ତ୍ରରେ ଜଗନ୍ନାଥ ପ୍ରତୀକ ଭାବରେ ଅଛନ୍ତି । ଜଗନ୍ନାଥ ଅବତାର କୃଷ୍ଣ ଓ ରାମ ଅବତାର । ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେବତା । ପରେ ସଂଯୋଜକ ଶ୍ରୀ ମହାନ୍ତିଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶଙ୍କର ପ୍ରସାଦ ତ୍ରିପାଠୀ, ରଶ୍ମି ବାଳା ରାଉତରାୟ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଶର୍ମିଷ୍ଠା କବି ଶତପଥୀ, କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, ନୃସିଂହ ଚରଣ ବିଶ୍ୱାଳ, ପ୍ରତାପ କୁମାର ରାୟ, ବବିତା ମହାଳିକ, ରୀତାରାଣୀ ମହାପାତ୍ର, ସୁଶାନ୍ତ କୁମାର ନାୟକ, ସୁନିଲ୍ ମହାନ୍ତି, କିଶୋରୀ ମୋହନ କର, ପ୍ରଫୁଲ୍ଲ ସାମଲ, ଅଶୋକ କୁମାର ପଟ୍ଟନାୟକ, ବ୍ରହ୍ମାନନ୍ଦ ପାଢୀ, ଶରତ ଧଳ, ସ୍ମିତା ମିଶ୍ର, ସଂଜୀବ କୁମାର ଭୋଇ, ଗୌତମ ଦାସ ପ୍ରମୁଖ କବିତା ପାଠ କରିଥିଲେ । ଅଶୋକ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ନାଥ ଦାସ, ଅନୀଲ କୁମାର ଦାଶ, ମୀନତି ପତ୍ରୀ, ସନାତନ ପ୍ରଧାନ, ବିଭୁତି ଭୂଷଣ ଦାସ, ଇପାରୀ ଧର୍ମରାଜୁ, ରାଧାମୋହନ ନାୟକ, ପାରେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.