ବାହୁଡା ଓ ସୁନାବେଶ ପାଇଁ ବିଭିନ୍ନ ରୁଟ୍‌ରୁ ପୁରୀକୁ ଚଳାଚଳ କରିବ ଟ୍ରେନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ପୁରୀକୁ ଏବଂ ପୁରୀ ଠାରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛି । ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ । ଅଧିକ ଭକ୍ତଙ୍କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସୁନାବେଶ ପରଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯୋଜନା କରିଛି ।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି । ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଭୁବନେଶ୍ୱର-ପୁରୀ ବିଶେଷ ଟ୍ରେନ ଚଳିତ ମାସ ପହିଲାରୁ ୧୧ ତାରିଖ ମଧ୍ୟରେ ଚଳାଚଳ କରୁଛି । ତେବେ ସନ୍ଧ୍ୟା ଦର୍ଶନ (୮ ଜୁଲାଇ)ରେ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡି ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହିପୁର ମଧ୍ୟରେ ଚଳାଚଳ କରିବ ।

ଏହା ବ୍ୟତୀତ ବିଶାଖାପାଟଣା-ପୁରୀ ସ୍ପେଶାଲ୍‌ ବିଶାଖାପାଟଣାରୁ ୮ରୁ ଅପରାହ୍ନ ୨ଟା୩୦ରେ ଛାଡି ପୁରୀ ଆଡକୁ ଯିବ । ଫେରିବା ବେଳେ ଏହି ଟ୍ରେନ୍‌ ପୁରୀରୁୁ ୯ ତାରିଖ ରାତ୍ରି ୮ଟା୨୫ରେ ଛାଡ଼ି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ । ଜୁନାଗଡ ରୋଡ୍‌-ପୁରୀ ସ୍ପେଶାଲ୍‌ ଜୁନାଗଡ ରୋଡ଼ରୁ ୮ତାରିଖ ପୂର୍ବାହ୍ନ ୧୧ଟାରେ ଛାଡ଼ି ପୁରୀ ଯିବ । ଫେରିବା ବେଳେ ଏହି ଟ୍ରେନ୍‌ ପୁରୀରୁ ୯ ତାରିଖ ସନ୍ଧ୍ୟା ୭ଟାରେ ଛାଡି ଜୁନାଗଡ଼ ରୋଡ୍‌ ଯାତ୍ରା କରିବ । ଅନୁରୂପ ଭାବେ ସମ୍ୱଲପୁର-ପୁରୀ ସ୍ପେଶାଲ, ଗୁଣୁପୁର-ପୁରୀ ସ୍ପେଶାଲ୍‌, ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‌, କେନ୍ଦୁଝରଗଡ଼ରୁ ୧୦ ଯୋଡି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଯାତ୍ରା କରି ପୁଣି ଫେରିବ ।

ସୁନାବେଶ ଦିନ (୧୦ ଜୁଲାଇ) ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‌, କେନ୍ଦୁଝରଗଡ଼ରୁ ୧୧ ଯୋଡି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଯାତ୍ରା କରି ପୁଣି ଫେରିବ । ଜୁନାଗଡ ରୋଡ୍‌-ପୁରୀ ସ୍ପେଶାଲ୍‌ ଟ୍ରେନ୍‌ ୧୦ ତାରିଖ ଦିନ ଜୁନାଗଡ ରୋଡ୍‌ରୁ ଭୋର ୫ଟା୩୦ରେ ଛାଡି ପୁରୀ ଯାତ୍ରା କରିବ । ଗୁଣୁପୁର-ପୁରୀ ସ୍ପେଶାଲ ୧୦ ତାରିଖ ଭୋର ୪ଟା ୩୦ରେ ଗୁଣୁପୁରରୁ ଛାଡି ପୁରୀ ଆଡକୁ ଯିବ । ଫେରିବା ବେଳେ ଏହି ଟ୍ରେନ୍‌ ପୁରୀରୁ ୧୦ ତାରିଖ ରାତ୍ରି ୮ଟାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।

ସମ୍ୱଲପୁର-ପୁରୀ ସ୍ପେଶାଲ ସମ୍ୱଲପୁରରୁ ୧୦ ତାରିଖ ସକାଳ ୮ଟାରେ ଛାଡିବ । ସୁନାବେଶ ପରଦିନ (୧୧ ଜୁଲାଇ)ରେ ୬ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀରୁ ଗୁଣୁପୁର, ରାୟଗଡା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରଗଡ଼ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍‌ କେନ୍ଦୁଝରଗଡରୁ ପୁରୀ ପର୍ୟ୍ୟନ୍ତ ଚାଲିବ । ପୁରୀ-ସମ୍ୱଲପୁର ସ୍ପେଶାଲ ପୁରୀରୁ ୧୧ ତାରିଖ ମଧ୍ୟାହ୍ନ ୧୨ଟାରେ ପୁରୀ ଛାଡି ସମ୍ୱଲପୁର ଅଭିମୁଖେ ଯାତ୍ରା କରିବ ।

Leave A Reply

Your email address will not be published.