କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ବିରୂପ ବିସର୍ଜନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରୟୋଦଶୀ ତିଥି (୨୫ ତାରିଖ)ର ନିଃଶବ୍ଦ ରାତି । ବଡ଼ଦେଉଳର ସମସ୍ତ ଆଲୁଅ ବନ୍ଦ ଥାଏ । ଦିହୁଡ଼ି ଆଲୁଅରେ ୩ଜଣ ଶୁଦ୍ଧ ସୁଆର ମହାପ୍ରଭୁଙ୍କ ବିରୂପ ବିସର୍ଜନ ନିମନ୍ତେ କୋଇଲି ବୈକୁଣ୍ଠ ଯାତ୍ରା କରିଥିଲେ । ଅନବସରର ୧୩ ଦିନର ଶୂନଶାନ୍‌ ରାତିରେ ମହାପ୍ରଭୁଙ୍କ ଏହି ଗୋପନ ସେବା ବେଳେ ଶ୍ରୀମନ୍ଦିର ଓ କୋଇଲି ବୈକୁଣ୍ଠରେ ଭକ୍ତି ଆଉ ଭୟ ଲାଗି ରହିଥିଲା । ତିନି ଜଣ ଶୁଦ୍ଧ ସୁଆର ମଶାଲ ନେଇ କୋଇଲି ବୈକୁଣ୍ଠ କୂପରେ ପ୍ରଭୁଙ୍କ ବିରୂପ ବିସର୍ଜନ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟାର ଅବଶେଷକୁ କୋଇଲି ବୈକୁଣ୍ଠ କୂଅରେ ବିସର୍ଜନ ବିଧିକୁ ପ୍ରଭୁଙ୍କ ‘ବିରୂପ ବିସର୍ଜନ ସେବା’ର ନାମକରଣ ହୋଇଛି । ଏହା ଶ୍ରୀମନ୍ଦିର ଗୋପନ ସେବାରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ଶୁଦ୍ଧ ସୁଆର ଏହି ଗୋପନ ସେବାର ଅଧିକାରୀ ଥିବାରୁ ଅନେକ ସେବାୟତ ଏହି ସେବା ନେଇ ଅବଗତ ନଥିବାର ସୂଚନା ମିଳିଛି ।

ଦଇତାପତିଙ୍କ ଗୋପନ ସେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ରବିବାର ଶୁଦ୍ଧ ସୁଆରଙ୍କ ବାସଭବନରୁ ଖଳି ବିଜେ ପରେ ଏହାକୁ ଶ୍ରୀଅଙ୍ଗ ସେବାରେ ଲାଗି କରାଯାଇଛି । ଶ୍ରୀଅଙ୍ଗକୁ ଖଳି ଭିଜା ବସ୍ତ୍ରରେ ଆଚ୍ଛାଦିତ କରାଯାଇଛି । ଶ୍ରୀଅଙ୍ଗ ଏବଂ ଶ୍ରୀମୁଖର ରୂପଚର୍ଯ୍ୟା ନିମନ୍ତେ ଖଳି ବୋଳା ବସ୍ତ୍ରରେ ପ୍ରସାଧନ କରାଯାଇଛି । ପରେ ରାତିରେ ଘଣାଲାଗି, ଘଣାକଟା ଆଦି ଗୋପନ ନୀତି ସମ୍ପାଦନ ହୋଇଛି । ଏହି ସେବାର ଶେଷ ପର୍ଯ୍ୟାୟ ଦତ୍ତ ମହାପାତ୍ରଙ୍କ ଖଡ଼ି ଲାଗି ପରେ ଆରମ୍ଭ ହେବ । ରବିବାର ରାତିରେ ଦତ୍ତ ମହାପାତ୍ରଙ୍କ ବାସଭବନରୁ ଖଡ଼ି ବିଜେ ହୋଇଛି ।

ସୋମବାର ଏହି ଖଡ଼ିକୁ ଲାଗି କରିବେ ଦତ୍ତ ମହାପାତ୍ର ସେବକ । ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାରର ଏହା ହେବ ପ୍ରଥମ ଉପଚାର । ଠାକୁରଙ୍କୁ ଖଡ଼ି ଲାଗି ପରେ ରାଜପ୍ରସାଦକୁ ଖଡ଼ି ପ୍ରସାଦ ବିଜେ କରିବେ ଦତ୍ତମହାପାତ୍ର ସେବକ । ଦୁଇ ଦିନ ଧରି ନିରନ୍ତର ଶ୍ରୀମୁଖ ଏବଂ ଶ୍ରୀଅଙ୍ଗରେ ଖଡ଼ି ପ୍ରଲେପ ଦିଆଯିବ । ନବଯୌବନ ପ୍ରାପ୍ତି ପର୍ଯ୍ୟନ୍ତ ଦତ୍ତ ସେବକଙ୍କ ବିବିଧ ରୂପଚର୍ଯ୍ୟା ସେବା ଜାରି ରହିବ । ପରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସରିବ ଏବଂ ଭକ୍ତମାନେ ୨୯ ତାରିଖରେ ନବଯୌବନ ଦର୍ଶନ ଲାଭ କରିବେ ।

Leave A Reply

Your email address will not be published.