ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ବିଜୁ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ । ଯୋଜନା ଜିଲ୍ଲା ନୋଡାଲ ଅଫିସର ଡାକ୍ତର ବସନ୍ତ କୁମାର ବାରିକଙ୍କ ସଂଯୋଜନା ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇ କାର୍ୟ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ବିପିଏଲ୍‌ ପରିବାର ଯେଉଁମାନେ ସରକାରୀ ଡାକ୍ତରଖାନାରୁ ଘରୋଇ ବା ଜିଲ୍ଲାରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ବା ଅନୁବନ୍ଧିତ ଥିବା ନର୍ସିଂ ହୋମ ଗୁଡିକରେ ସହଜରେ ଓ ସୁବିଧାରେ ଚିକିତ୍ସା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ନର୍ସିଂ ହୋମ ଗୁଡିକରେ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ସଚେତନତା ପାଇଁ ପ୍ରାଚୀର ପତ୍ର ଲଗାଇବା ଏବଂ ଏଥିପାଇଁ କାର୍ଯ୍ୟରତ ସ୍ୱାସ୍ଥ୍ୟ ମିତ୍ରମାନେ ସ୍ୱାସ୍ଥ୍ୟ ସେବା କିପରି ହିତାଧିକାରୀ ପାଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଆହ୍ୱାନ କରାଯାଇଥିଲା । ବୈଠକରେ ଜିଲ୍ଲାର ସମସ୍ତ ଘରୋଇ ଡ଼ାକ୍ତରଖାନା ଓ ନର୍ସିଂ ହୋମର ତତ୍ୱାବଧାରକ ମାନେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବିଭୁତି ଭୁଷଣ ମେହେର, ଜିଲ୍ଲା ସଂଯୋଜକ ସଞ୍ଜିବ କୁମାର ପଟେଲ, ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ରାମ କୁମାର ଗୁପ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.