ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

  • ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମ୍‌ଏଫ୍‌ଆଇର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତା ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସୂଚନା ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଦୈନିକ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନ୍‌ଆଇଟି, ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଷଡଙ୍ଗୀ, ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟାପକ ବିଭୁତି ଭୂଷଣ ପଣ୍ଡା, ସୁଲେଖିକା ଅର୍ଚନା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିନାକ୍ଷୀଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ମୃତିସଭା ଉତ୍ସବ ମୁଖର ହେଉ । ମିନାକ୍ଷୀ କେବଳ ଶ୍ରେଷ୍ଠ ଉଦ୍‌ଘୋଷିକା ନଥିଲେ ବରଂ ସେ ଏକାଧିକ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ରହି ସ୍ୱକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ସେ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ । ସମ୍ମାନିତ ଅତିଥି ପ୍ରଫେସର ଷଡଙ୍ଗୀ, ପ୍ରଫେସର ପଣ୍ଡା କହିଲେ ଯେ, ମିନାକ୍ଷୀ ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ । ତାଙ୍କର ପ୍ରତିଭା ଶିଳ୍ପ ନଗରୀ ରାଉରକେଲାରୁ ରାଜଧାନୀ ଭୁବନେଶ୍ଵର ପର୍ୟ୍ୟନ୍ତ ବିସ୍ତାରିତ ହୋଇଥିଲା । ସ୍ୱକୀୟ ପ୍ରତିଭାକୁ ବିକଶିତ କରି ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ସୌଦାମିନି ବେହେରା ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଧର ମିନାକ୍ଷୀଙ୍କ ସଂପର୍କରେ ବକ୍ତବ୍ୟ ରଖିବା ସହ ସ୍ୱଗତ ଭାଷଣ ପ୍ରଦାନ କରିଥିଲେ । ୱାଇଏମ୍ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଡାକ୍ତର ଅର୍ଚ୍ଚନା ନାୟକଙ୍କୁ ସୁଲେଖିକା ଭାବେ ମିନାକ୍ଷୀ ଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ୟ୍ୟକ୍ରମରେ ମିନାକ୍ଷୀ ଧରଙ୍କ ଉପରେ ଆଧାରିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଜେନାଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.