ପୁଣି ଏକ ଦାଦନ ଶ୍ରମିକଙ୍କ ଶବକୁ ଇଟା ଭାଟି ମାଲିକ ପୋଡ଼ି ଦେଇଥିବା ଅଭିଯୋଗ : ତଦନ୍ତ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ ବାହାର ରାଜ୍ୟରେ ଶାରିରୀକ ନିର୍ୟାତନାର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି । ଏପରିକି ନାବାଳିକା ଓ ମହିଳାଙ୍କୁ ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି । ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମ ଯୋଗୁଁ ଦଲାଲମାନେ ସକ୍ରିୟ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ପ୍ରଲୋଭନ ଦେଖାଇ ସେମାନଙ୍କୁ ଅକଥନୀୟ ନିର୍ୟାତନା ଦିଆଯାଉଛି । ଦାଦନ ଖଟିବାକୁ ଯାଇ ନିଜ ଭିଟାମାଟିକୁ ଶବ ହୋଇ ଫେରୁଥିବା ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ପାଟଣାଗଡ଼ ଥାନା ତୁର୍ଲାମାଲ ଗ୍ରାମର କୌଲାଶ ଭୂଏ(୫୦) ନାମକ ଜଣେ ଶ୍ରମିକଙ୍କ ଠାରେ । ସୂଚନା ଅନୁସାରେ କୌଲାଶ ଭୂଏ ନିଜ ପରିବାର ସହ ତେଲେଙ୍ଗାନାର ଟୁକୁ ଗୁଡା ଏକ ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ । ଦୀର୍ଘ ୬ ମାସର କାମ କରିବା ପରେ ସେଠାରେ ମୃତ୍ୟୁ ଘଟିଥିବା ବେଳେ କିପରି ମୃତ୍ୟୁ ଘଟିଥିଲା ସଠିକ ଖବର ମିଳୁନାହିଁ । ଦାଦନ ଦଲାଲ ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଦାଦନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ତିନୋଟି ତିନୋଟି ଦାଦନ ଶ୍ରମିକଙ୍କ ଶବ ଫେରିଥିବା ବେଳେ ଆଜି ଦାଦନ ଶ୍ରମିକ କୌଲାଶ ଭୂଏଙ୍କ ଶବ ଘରକୁ ନ ଆଣି ପରିବାର ଲୋକଙ୍କୁ ଇଟା ଭାଟି ମାଲିକ ଧମକ ଦେଇ ଶବକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

Leave A Reply

Your email address will not be published.