pakka

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ…..

  • ନିରଞ୍ଜନ ସାମଲ

ରାଉରକେଲା : ରାଉରକେଲାରେ ଶିଳ୍ପ ସମ୍ପର୍କରେ ଏକ ନୂତନ ଅଧ୍ୟାୟର ଅବତରଣା କରିଥିବା ଶିବଚରଣ ବୋଇତି ୧୯୪୦ ମସିହାରେ ଅଗଷ୍ଟ ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ବୋଇତି ୧୯୬୨ ମସିହାରେ ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରିପ ମିଲରେ ଜଣେ ସିନିଅର ଅପରେଟର ଭାବେ ଯୋଗଦେବା ସହିତ ବିଶିଷ୍ଟ ସମାଜବାଦୀ ନେତା ଲୋକ ନାୟକ ଜୟ ପ୍ରକାଶ ନାରାୟଣ, ଜଗଜ୍ଜୀବନ ରାମ, ଧୁଳିଶୂର ବସ୍ତିଆ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଜଗଦୀଶ ନାଗ ଏବଂ ରାଉରକେଲାର ପ୍ରଥମ ବିଧାୟକ ସ୍ୱର୍ଗତ ରାଜକିଶୋର ସାମନ୍ତରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଉରକେଲା ମଜଦୁର ସଭା ତଥା ହିନ୍ଦ୍‌ ମଜଦୁର ସଭାରେ ସାମିଲ ହୋଇ ଶ୍ରମିକ ମାନଙ୍କ ହକ୍‌ ପାଇଁ ଅନବରତ ସଂଗ୍ରାମକୁ ଏକ ପେଶା ଭାବେ ଗ୍ରହଣ କରିଥିଲେ । ସେ ହିନ୍ଦ ମଜଦୁର ସଭାରେ ସାମିଲ ହେବା ସହିତ ଜାତୀୟ ଇସ୍ପାତ ଯୁଗ୍ମ କମିଟିରେ ପ୍ରତିନିଧିତ୍ଵ କରିବା ସହିତ ଜାତୀୟ ସୁରକ୍ଷା କମିଟିରେ ମଧ୍ୟ ପ୍ରତିନିଧିତ୍ଵ କରି ଇସ୍ପାତ ଶ୍ରମିକ ସମାଜର ଅନେକ କଲ୍ୟାଣକାରୀ ଯୋଜନାର ପ୍ରଣୟନ କରିଥିଲେ । ଇସ୍ପାତ ଶିଳ୍ପରେ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶକୁ ନେଇ ଥିବା ଯୁଗ୍ମ କମିଟିରେ ପ୍ରତିନିଧିତ୍ଵ କରି ଗୋଟିଏ ବୈଠକରେ ସେ ମତବ୍ୟକ୍ତ କରିଥିଲେ ଯେ, ଆମ ରାଷ୍ଟ୍ରର ମାନଦଣ୍ଡ ଶିଳ୍ପ ଉପରେ ନିର୍ଭର କରୁଥିବା ବେଳେ ଏବେ ମଣିଷକୃତ ଶିଳ୍ପ ଭଷ୍ମାସୁର ସାଜି ତା’ର ସ୍ରଷ୍ଟା ମଣିଷ ପଛରେ ଧାବନ କରୁଛି ତାକୁ ନିଶ୍ଚିହ୍ନ କରିବା ପାଇଁ । ଯାହା ସେହି ବୈଠକରେ ଗୁରୁତ୍ୱ ବହନ କରିଥିଲା । ଅନ୍ୟ ପକ୍ଷରେ ମଣିଷ ଏବେ ଦଉଡିଛି ଜୀବନ ରକ୍ଷାର ପନ୍ଥା ନିର୍ଣ୍ଣୟ କରିବା ପାଇଁ ଯାହା ପରିବେଶ ପ୍ରଦୂଷଣର ମୂଳ ତତ୍ତ୍ୱ ଆଜି ପାଲଟିଛି ଏବଂ ତାଙ୍କ ପୂର୍ବାନୁମାନ ସତରେ ପରିଣତ ହୋଇଛି । ଠିକ୍ ସେହିପରି ରାଉରକେଲା ମଜଦୁର ସଭାର ପ୍ରତିନିଧି ଭାବରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଓଡ଼ିଶା ରାଜ୍ୟ ଶାଖାର ପ୍ରତିଷ୍ଠାତା ସଭ୍ୟ ଓ ପରେ ଦୀର୍ଘ ବର୍ଷ ଧରି ଅବୈତନିକ ରାଜ୍ୟ ଶାଖା ଅଧ୍ୟକ୍ଷ, ସାଧାରଣ ସମ୍ପାଦକ ପଦବୀ ଅଳଙ୍କୃତ କରିଥିଲେ । ତତ୍ ସହିତ ଅବୈତନିକ ଭାବରେ ତାଙ୍କର ଓଡ଼ିଶା ରାଜ୍ୟ ଶାଖା ସୁରକ୍ଷା ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଦାନ କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଠିକ୍ ସେହିପରି ଉତ୍ପାଦନ ଓ ଉତ୍ପାଦକତା କ୍ଷେତ୍ରରେ ସେ ଏକ ମାଇଲଖୁଣ୍ଟ ଥିଲେ । ୯୦ ଦଶକରେ ୫ମ ବ୍ଲାଷ୍ଟ ଫର୍ଣ୍ଣେସ ପ୍ରତିଷ୍ଠା କରିବାକୁ ଆର୍‌ଏସପି ମ୍ୟାନେଜମେଣ୍ଟକୁ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ସେ ରହିଥିଲେ । ସେଲ୍‌ର ଉତ୍ପାଦନ ଓ ଉତ୍ପାଦକତା ବୈଠକରେ ବିଭିନ୍ନ ସମୟରେ ସେ ଆଲୋକ ବର୍ତ୍ତିକା ପରି କାର୍ଯ୍ୟ କରୁଥିଲେ । ସେ ରାଉରକେଲା ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ପଦ ମଣ୍ଡନ କରିଥିଲେ । ଶିଳ୍ପ ସମ୍ପର୍କ କଥା ଆସିଲେ ଆପେ ଆପେ ବୋଇତି ବାବୁ ହିଁ ଚର୍ଚ୍ଚାକୁ ଆସିଥାନ୍ତି । ସେ କେହି ହୋଇ ଥାଆନ୍ତୁ ନା କାହିଁକି ତାଙ୍କର ପ୍ରସଙ୍ଗଭିତ୍ତିକ ଯୁକ୍ତି ଆଗରେ ହାର ମାନିଥାନ୍ତି । ସେ ବାସ୍ତବରେ ଜଣେ ତଥ୍ୟ ଭିତ୍ତିକ ଶ୍ରମିକ ନେତା ଥିଲେ । ଚାକିରିରୁ ଅବସ‌ର ପରେ କର୍ମତତ୍ପର ସ୍ୱର୍ଗତ ବୋଇତି ଅବସରପ୍ରାପ୍ତ କର୍ମଚାରୀ ସଂଘ, ଶ୍ୟାମ ଅନୁ ଦେବକୀ ଟ୍ରଷ୍ଟ, ଶ୍ରଦ୍ଧା, ଲାଫିଙ୍ଗ କ୍ଲବ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିଲେ ତଥା ପରାମର୍ଶ ଦେଉଥିଲେ । ଠିକ୍ ସେହିପରି ମଜଦୁର ସଭାର ଦିଗଦର୍ଶକଙ୍କୁ ହରାଇ ସମାଜବାଦୀ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ନିଶ୍ଚିତ ଭାବରେ ମର୍ମାହତ ହୋଇଥିଲା ବେଳେ ମୁଁ ବ୍ୟକ୍ତିଗତ ଭାବେ ମୋର ଜଣେ ପିତୃପ୍ରତିମଙ୍କୁ ହରାଇଲି ଏବଂ ମୋ ମୁଣ୍ଡ ଉପରକୁ ସଦା ସର୍ବଦା ଆଶୀର୍ବାଦ ଝରାଉଥିବା ସ୍ନେହମୟ ହାତଟି ଏ ଉଠିଗଲା ଭଳି ମୋତେ ଲାଗୁଛି । ତାଙ୍କ ଅନୁପସ୍ଥିତି ଜନିତ କ୍ଷତି କେବେ ପୂରଣ ହେବାର ନାହିଁ କିନ୍ତୁ ସେ ଯେଉଁଠି ଥାଆନ୍ତୁ ନା ଖୁସିରେ ଥାଆନ୍ତୁ । ଆଜି ତାଙ୍କ ଏକାଦଶାହ ଅବସରରେ ଭାବ ବିନମ୍ର ଶ୍ରଦ୍ଧାର୍ଘ୍ୟ ବାଢ଼ିବା ସହ ଭକ୍ତିପୂତ ପ୍ରଣାମ ଜଣାଉଛି । ଦିବ୍ୟ ଜନନୀ ତାଙ୍କୁ ନିଜ ପାଦତଳେ ଆଶ୍ରୟ ଦେଇ ପରମ ଶାନ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା କରୁଛି ।

Leave A Reply

Your email address will not be published.

five × 3 =