
- ୪ଟି ନୂତନ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଲେ
- ବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ସେବାର ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଓ ନୂତନ ଟ୍ରେନ୍ ସେବା ପ୍ରଚଳନ ଦାବିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ବିସ୍ତୃତ ପତ୍ର ଲେଖିଛନ୍ତି । ପତ୍ରରେ ସାଂସଦ ଶ୍ରୀ ପୁରୋହିତ ଇସ୍ପାତ ଏକ୍ସପ୍ରେସ (୧୨୮୭୧/୧୨୮୭୨)ର ନିୟମିତ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରି ଏହାର ସମୟାନୁବର୍ତ୍ତିତା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ସେହିପରି ବ୍ରଜରାଜନଗରକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପକେନ୍ଦ୍ର ଭାବେ ଉଲ୍ଲେଖ କରି ସେଠାରେ ଉନ୍ନତ ରେଳ ସେବା ଓ ଯାତ୍ରୀ ସୁବିଧା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ସାଂସଦ ବ୍ରଜରାଜନଗର, ଝାରସୁଗୁଡ଼ା, ବରପାଲି ଓ ଅତାବିରା ରେଳଷ୍ଟେସନରେ ଅନେକ ଦୂରଗାମୀ ଟ୍ରେନର ରହଣି ବ୍ୟବସ୍ଥା କରିବା ଏବଂ ପୂର୍ବରୁ ବନ୍ଦ ହୋଇଥିବା କିଛି ଟ୍ରେନ୍ ରହଣିକୁ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି । ଏଥିସହ ବିଲାସପୁର–ପୁରୀ ନୂତନ ଟ୍ରେନ୍, ଟିଟିଲାଗଡ଼/ବଲାଙ୍ଗିର–ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ, ଝାରସୁଗୁଡ଼ା–ବିଶାଖାପାଟଣା ବନ୍ଦେ ଭାରତ ଏବଂ ବରଗଡ଼/ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନୂତନ କୋଚିଂ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଇଛନ୍ତି । ପତ୍ରରେ ଗୋଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ, ଜନ ଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡ଼ା କିମ୍ବା ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ହୀରାକୁଦ ଏକ୍ସପ୍ରେସର ସାପ୍ତାହିକ ଚଳାଚଳକୁ ଦୈନିକ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ବ୍ରଜରାଜନଗର ରେଳଷ୍ଟେସନରେ ଶୌଚାଳୟ, ଡିସପ୍ଲେ ବୋର୍ଡ, କୋଚ୍ ଗାଇଡେନ୍ସ ସିଷ୍ଟମ୍, ଉନ୍ନତ ଘୋଷଣା ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥାର ଉନ୍ନତି ଏବଂ ବେଲପାହାଡ଼ ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡ଼ିକର ଶୀଘ୍ର ସମ୍ପାଦନ ପାଇଁ ସେ ଦାବି କରିଛନ୍ତି । ଏହାସହ ବହୁ ପ୍ରତୀକ୍ଷିତ ବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଂସଦ ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ପଶ୍ଚିମ ଓଡ଼ିଶାର ଯାତ୍ରୀ ଚାହିଦା ଓ ବିକାଶମୂଳକ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏହି ସମସ୍ତ ପ୍ରସ୍ତାବର ଶୀଘ୍ର ଅନୁମୋଦନ ଓ କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।