mahavir

ବରଗଡ଼ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଓଡିଶା ସରକାରଙ୍କ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ପ୍ରାପ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ଓ ଉପାଧ୍ୟକ୍ଷା ତଥା ଭଟଲି ବ୍ଲକର ଆଦିବାସୀ ନେତ୍ରୀ ଶ୍ରୀମତୀ ତିଳୋତ୍ତମା ଭୁଏଙ୍କ ଗୃହ ପ୍ରବେଶ ଉଦ୍‌ଘାଟନ ସହ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଭବ୍ୟ ଭାବେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ମହଲରେ ଉତ୍ସାହର ପରିବେଶ ଦେଖାଯାଇଥିଲା । ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ଏକ ଦୃଢ଼ ମାଧ୍ୟମ ହେବ । ସେ ଆଶାବ୍ୟକ୍ତ କରିଥିଲେ ଯେ, ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବେ । କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ ସନତ ଗଡତିଆ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟରେ ସମନ୍ୱୟ ଓ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ । ଏହା ସହିତ ବରଗଡ଼ ଜିଲ୍ଲା ବିଜେପି ସଭାପତି ଡ଼. ଅରୂପାନନ୍ଦ ସାହୁ ଓ ବିଜେପି ରାଜ୍ୟକାରିଣୀ ସଦସ୍ୟ ସୁରେଶ୍ଵର ଶତପଥୀ ସହ ଅନେକ ଜନପ୍ରତିନିଧି ଓ ସ୍ଥାନୀୟ ନେତାମାନେ ଯୋଗଦେଇ ନବନିଯୁକ୍ତ ନେତୃତ୍ୱକୁ ଶୁଭେଚ୍ଛା ଜଣାଇଥିଲେ । ନବନିଯୁକ୍ତ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ସେ ଅଞ୍ଚଳର ପଛୁଆ ଓ ଆଦିବାସୀ ଅଞ୍ଚଳର ଉନ୍ନୟନକୁ ପ୍ରାଥମିକତା ଦେବେ ଓ ସରକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖକୁ ନେଇଯିବେ । ଉପାଧ୍ୟକ୍ଷା ଶ୍ରୀମତୀ ତିଳୋତ୍ତମା ଭୁଏ ମଧ୍ୟ ଲୋକସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବେ ନେଇ କାମ କରିବେ ବୋଲି କହିଥିଲେ । ସମଗ୍ର କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଉନ୍ନୟନ ପ୍ରତି ଆଶା ଓ ଆତ୍ମବିଶ୍ୱାସର ମନୋଭାବ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.