mahavir

ପତ୍ନୀହନ୍ତା ସ୍ୱାମୀକୁ ୭ ବର୍ଷର ସଶ୍ରମ କାରାଦଣ୍ଡ

  • ୩ଜଣ ଝିଅଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ବଚସାକୁ କେନ୍ଦ୍ର କରି ଦାଆରେ ବେକ କାଟି ନିଜ ଧର୍ମପତ୍ନୀଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଶୁକ୍ରବାର ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୪ରେ ଗାରାବନ୍ଧ ଥାନା ଅନ୍ତର୍ଗତ ଅଡାଗାଁର ଅଭିଯୁକ୍ତ ଗଙ୍ଗା ବଡ଼ମୁଣ୍ଡି (୫୦ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ତା ୨୯-୧୨-୨୦୨୧ରିଖରେ ଯେତେବେଳେ ମୃତ ପତ୍ନୀ ସଜନୀ ବଡ଼ମୁଣ୍ଡି ଓ ଅଭିଯୁକ୍ତ ସ୍ୱାମୀ ଗଙ୍ଗା ବଡ଼ମୁଣ୍ଡି ବିଲରୁ କାମ ସାରି ଘରକୁ ଫେରିଲେ ସେହି ଦିନ ରାତି ୯ଟା ସମୟରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ମୃତକଙ୍କ ବେକକୁ ଦାଆରେ ଆକ୍ରମଣ କରିଥିଲେ ଓ ପରେ ଏହି ଆକ୍ରମଣରେ ସଜନୀ ବଡ଼ମୁଣ୍ଡି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପରେ ଏହି ଘଟଣାକୁ ନେଇ ମୃତକଙ୍କର ଭାଇ ମଙ୍ଗଳ ମାଝି ଅଭିଯୁକ୍ତଙ୍କ ନାଁରେ ଗାରାବନ୍ଧ ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗୀନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୧୦୫/୨୧ରେ ପଞ୍ଜିକୃତ ହୋଇଥିଲା । ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ଥାନାଧିକାରୀ ସର୍ବେଶ୍ୱର ସାମନ୍ତରାୟ ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ଶୁକ୍ରବାର ୧୫ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ୭ ବର୍ଷର ସଜା ଶୁଣାଇବା ସହ ଏହି ମାମଲାରେ ଥିବା ପ୍ରତ୍ୟକ୍ଷଦର୍ଶୀ ମୃତକଙ୍କ ତିନି ଝିଅଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନଙ୍କୁ ୩ଲକ୍ଷ ଟଙ୍କା (ଜଣ ପିଛା ୧ଲକ୍ଷ ଟଙ୍କା) ଦେବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, ମୃତକଙ୍କର ଜଣେ ଦିବ୍ୟାଙ୍ଗ ମୁକ ତଥା ବଧିର ଝିଅର ଦେଖାରେଖା କରିବା ନିମନ୍ତେ ଆଉ କେହି ନଥିବାରୁ ତଥା ଏହି ଅଭାବନୀୟ କାଣ୍ଡ ଆତର୍କିତ ଭାବେ ହୋଇଥିବାରୁ ଓ ଅଭିଯୁକ୍ତଙ୍କର ପୂର୍ବରୁ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ନଥିବା କଥାକୁ ବିଚାରକୁ ନେଇ ମାନ୍ୟବର ବିଚାରପତି ଏ ଭଳି ସଜା ଶୁଣାଇଛନ୍ତି ।

Leave A Reply

Your email address will not be published.