ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାରରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ-ମହୋତ୍ସବ ଉମଙ୍ଗ- ୨୦୨୪ ଆୟୋଜନ ହେବାକୁ ଯାଉଛି । ଏନେଇ ସମଗ୍ର ବିଶ୍ଵବିଦ୍ୟାଳୟ ପରିସରର ଏବେ ଉତ୍ସବମୁଖର ହୋଇଉଠିଥିବା ଦେଖିବକୁ ମିଳିଛି । ବିଶ୍ଵବିଦ୍ୟାଳୟ ପ୍ରଶାସନ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଏହି ବ୍ୟାପକ ଅୟୋଜନ ପାଇଁ ପ୍ରସ୍ତୁତି ପର୍ବର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଫେବୃଆରୀ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ଯୁବ ମହୋତ୍ସବରେ ଭାରତର ପୂର୍ବାଞ୍ଚଳର ଚାରୋଟି ରାଜ୍ୟରୁ ୧୭ଟି ବିଶ୍ଵବିଦ୍ୟାଳୟରୁ ପାଖାପଖି ୭୦୦ ଛାତ୍ରଛାତ୍ରୀ ଓ ଟିମ ମ୍ୟାନେଜର, ଅଧ୍ୟାପକମାନେ ଯୋଗ ଦେଉଛନ୍ତି । ମହୋତ୍ସବରେ ପ୍ରତିଯୋଗିମାନେ ଯୁବ ପ୍ରତିଭା ପ୍ରଦର୍ଶନ ତଥା ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳା ପ୍ରଦର୍ଶନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ । ଯୁବ ମହୋତ୍ସବ ଏବଂ ଶିବିର ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ଆକର୍ଷିତ ଓ ଉତ୍ସାହିତ କରିଥାଏ । ଯେତେବେଳେ ବିଶ୍ଵବିଦ୍ୟାଳୟ ଏବଂ ଏହାର ଅନୁବନ୍ଧିତ ମହାବିଦ୍ୟାଳୟ ଦ୍ୱାରା ସୃଜନଶୀଳ କଳା, ସାହିତ୍ୟ ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିଥାନ୍ତି । ଏସବୁରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ଦେଖାଇବାର ଏକ ସୁଯୋଗ ପାଇଥାନ୍ତି । ଏହି ମହୋତ୍ସବରେ ଶାନ୍ତି, ସହନଶୀଳତା, ଜାତୀୟତାକିକରଣ, ସାମ୍ପ୍ରଦାୟିକ ସମନ୍ୱୟ ଏବଂ ମାନବତାର ମଧ୍ୟ ପରିଚୟ ମିଳିଥାଏ । ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳ ନିଜ ନିଜ ବିଶ୍ଵବିଦ୍ୟାଳୟକୁ ଉପସ୍ଥାପନ କରିବା ସହିତ ନିଜ ରାଜ୍ୟକୁ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରିଥାନ୍ତିି । ତଥା ଅନ୍ୟ ରାଜ୍ୟର ପ୍ରତିପକ୍ଷଙ୍କ ଆଗରେ ନିଜ ରାଜ୍ୟର କଳା ଏବଂ ସଂସ୍କୃତିର ପରିଭାଷାକୁ ଦେଖାଇବାର ଏକ ନିଆରା ସୁଯୋଗ ପାଇଥାନ୍ତି । ୧୯୮୫ ମସିହା ପରଠାରୁ ପ୍ରତିବର୍ଷ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅନ୍ତଃବିଶ୍ଵବିଦ୍ୟାଳୟ ଯୁବମହୋତ୍ସବ ଆୟୋଜନ କରିଆସୁଛି । ଚଳିତ ବର୍ଷ ଏହି ଯୁବ ମହୋତ୍ସବର ୩୭ତମ ସଂସ୍କରଣର ଦାୟିତ୍ୱ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି । ଏହି ପ୍ରତିଯୋଗିତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ଚାରୋଟି ରାଜ୍ୟରୁ ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ଏଥି ମଧ୍ୟରୁ ୧୭ଟି ବିଶ୍ଵବିଦ୍ୟାଳୟରୁ ପାଖାପଖି ୭୦୦ ଛାତ୍ରଛାତ୍ରୀ ଓ ଟିମ ମ୍ୟାନେଜର, ଅଧ୍ୟାପକମାନେ ଯୋଗ ଦେଉଛନ୍ତି । ଏହି ପଞ୍ଚଦିବସୀୟ ମହୋତ୍ସବରେ ୯ଟି ବିଭାଗ ଯଥା ଶାସ୍ତ୍ରୀୟ, ଲାଇଟ୍ ଭୋକାଲ, ଏକକ, ଭାରତୀୟ ଏବଂ ପାଶ୍ଚାତ୍ୟ ସଙ୍ଗୀତ ଓ ନୃତ୍ୟକୁ ସ୍ଥାନ ଦିଆଯାଇଛି । ଏହା ସହିତ ଚିତ୍ରତ୍ତୋଳନ ଏବଂ କୋଲାଜ୍ ତିଆରି, ରଙ୍ଗୋଲି, ମେହେନ୍ଦି, ମାଟି ନମୁନା ଓ ସଙ୍ଗୀତ, ନୃତ୍ୟର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ । ସାହିତ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧ ତଥା ସଦଭାବନା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୁବ ମହୋତ୍ସବକୁ “ଉମଙ୍ଗ -୨୦୨୪” ନାମରେ ନାମିତ କରାଯାଇଛି । ସମଗ୍ର ଆୟୋଜନ ଓ ପ୍ରସ୍ତୁତି ତଥା “ଉମଙ୍ଗ-୨୦୨୪”କୁ ବ୍ରହ୍ମପୁର ଜନମାନସରେ ଉପସ୍ଥାପନ କରିବା ପାଇଁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ଛାତ୍ର କଲ୍ୟାଣ ସମ୍ପାଦକ ତଥା ଯୁବ ମହୋତ୍ସବର ଆବାହକ ପ୍ରଫେସର ଗଣେଶ ସେଠୀ ଏବଂ ସହଯୋଗୀ ଆବାହକ ଡକ୍ଟର ଜୟନ୍ତ କୁମାର ପଣ୍ଡା ଓ ସାଂସ୍କୃତିକ ସଂଯୋଜକ ଡକ୍ଟର ସରିତା ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
Prev Post