
- ଡିସେମ୍ବର ୭ରେ ଚାଟିକଣା ଶୈବପୀଠ ଠାରୁ ହେବ ଶୁଭାରମ୍ଭ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ ମାଟିର ମହକ, ଆଦିବାସୀ କଳା-ସଂସ୍କୃତିର ଝଲକ, ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳାର ଅପୂର୍ବ ସମ୍ଭାରକୁ ନେଇ ପୁଣିଥରେ ଜମିବ ଚଇତିର ମହାକୁମ୍ଭ । ରାୟଗଡ଼ ଜିଲ୍ଲାର ଗଣପର୍ବ ତଥା ସାଂସ୍କୃତିକ ମହାମିଳନ ଚଇତି-୨୦୨୬ ଚଳିତ ବର୍ଷ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ଼ସ୍ଥିତ ଜିଆଇଏସିଆର୍ ପଡ଼ିଆଠାରେ ମହାସମାରୋହରେ ଆୟୋଜିତ ହେବାକୁ ଯାଉଛି । ଏହାର ପ୍ରାରମ୍ଭିକ ପର୍ବ ତଥା ବ୍ଲକସ୍ତରୀୟ ଚଇତି ଉତ୍ସବ ଡିସେମ୍ବର ୭ ତାରିଖରେ ପ୍ରସିଦ୍ଧ ଚାଟିକଣା ଶୈବପୀଠରୁ ଶୁଭାରମ୍ଭ ହେବ । ଏହି ମହୋତ୍ସବ ମାଧ୍ୟମରେ ରାୟଗଡ଼ ଜିଲ୍ଲାର ସମୃଦ୍ଧ ଆଦିବାସୀ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ଏକ ବ୍ୟାପକ ମଞ୍ଚରେ ପ୍ରଦର୍ଶିତ କରିବା ସହ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବାର ପ୍ରୟାସ କରାଯିବ । ଚଇତି-୨୦୨୬ର ସଫଳ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ ଆୟୋଜନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାୟଗଡ଼ ବିଧାୟକ ଅପ୍ପଲା ସ୍ୱାମୀ କାଡ୍ରାକା ଯୋଗଦେଇ ଚଇତି ମହୋତ୍ସବକୁ ଜନସାଧାରଣଙ୍କ ମହୋତ୍ସବ ଭାବେ ଗଢ଼ିତୋଳିବା ଦିଗରେ ନିଜର ମତାମତ ଓ ପରାମର୍ଶ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଏସ୍ଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ଏସ୍ଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା ଏବଂ ପୌରପରିଷଦ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ରହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଗୁଣପୁର ଉପଜିଲ୍ଲାପାଳ, ପୋଲିସ ବିଭାଗର ଅଧିକାରୀ, ସମାଜସେବୀ, ବୁଦ୍ଧିଜୀବୀ, ଆଇନଜୀବୀ, ବିଭିନ୍ନ ସଂଘର କର୍ମକର୍ତ୍ତା, ସମସ୍ତ ପୌରପରିଷଦ କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାରଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ । ବୈଠକରେ ଚଇତି ମହୋତ୍ସବକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ସର୍ବାଙ୍ଗୀନ ଭାବେ ସଫଳ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମହୋତ୍ସବରେ ଅତିଥି ଓ କଳାକାରଙ୍କ ରହଣି, ଯାତାୟାତ, ପାର୍କିଂ, ସୁରକ୍ଷା, ଆଲୋକୀକରଣ, ମଞ୍ଚ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକକଳା, ଲୋକନୃତ୍ୟ ଓ ପାରମ୍ପରିକ ସାଂସ୍କୃତିକ ପରିବେଷଣକୁ ମଞ୍ଚ ପ୍ରଦାନ କରିବା ସହ ଡଙ୍ଗରିଆ ଜନଜାତିଙ୍କ ସ୍ୱତନ୍ତ୍ର ଜୀବନଶୈଳୀ, ପାରମ୍ପରିକ କଳା ଓ ସଂସ୍କୃତିକୁ ମହୋତ୍ସବରେ ପ୍ରମୁଖ ଆକର୍ଷଣ ଭାବେ ଉପସ୍ଥାପନ କରିବା ନେଇ ଆଲୋଚନା ହୋଇଥିଲା ।