pakka

ୟୁନିୟନ ବ୍ୟାଙ୍କ ପକ୍ଷରୁ ଝରାପଲ୍ଲୀ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ସ୍ୱୀକୃତି

bbehera

• ଗ୍ରାମରେ ହିଁ ଲୋକେ ସମସ୍ତ ପ୍ରକାର ବ୍ୟାଙ୍କ ସହାୟତା ଓ ସୁବିଧା ପାଇବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଦକ୍ଷିଣାଞ୍ଚଳ ଜୋନ୍ ମୁଖ୍ୟ ବ୍ରହ୍ମପୁର ୟୁନିୟନ ବ୍ୟାଙ୍କର ଡିଜିଏମ ସତ୍ୟବାନ ବେହେରାଙ୍କ ସର୍ଭେକ୍ଷଣ କ୍ରମେ ଆନ୍ଧ୍ର-ସୀମାନ୍ତ ଗିରିସୋଲା ୟୁନିଅନ ବ୍ୟାଙ୍କ ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଳକ୍ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝରାପଲ୍ଲୀ ଗ୍ରାମକୁ ଆନୁଷ୍ଠାନିକ ଭାବେ ପୋଷ୍ୟଗ୍ରାମ ସଦୃଶ ସ୍ୱୀକୃତ ଗ୍ରହଣ କରିଛନ୍ତି । ଉକ୍ତ ଗ୍ରାମରେ ସମସ୍ତ ଗରୀବ ଆଦିବାସୀ ସମ୍ପ୍ରଦାୟର ଲୋକେ ସେମାନଙ୍କର ଥିବା ଅଳ୍ପ ଚାଷଜମିରେ କିପରି ଆଧୁନିକ ପ୍ରଣାଳୀରେ ଉନ୍ନତ ଚାଷ ଏବଂ କୃଷିଭିତ୍ତିକ ଉଦ୍ୟାନ ଚାଷ କରି ଲୋକମାନେ ନିଜେ ଆତ୍ମନିର୍ଭରଶୀଳ ହେବେ, ତା’ସାଂଗକୁ ଗାଁ ଲୋକଙ୍କର ଅର୍ଥନୈତିକତାରେ କିପରି ବିକଶିତ ହେବ ସେ ଦିଗରେ ୟୁନିୟନ ବ୍ୟାଙ୍କ ଯଥେଷ୍ଟ ଧ୍ୟାନ ଦେଇଛନ୍ତି । ଝରାପଲ୍ଲୀ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପୂର୍ବକ ସେହି ଗ୍ରାମରେ ଖାଲିସ୍ଥାନରେ ୫୪ ଗୋଟି ନଡ଼ିଆଗଛ ଚାରା ଲଗାଯାଇଛି । ସେହି ଗଛରୁ ୧୦ବର୍ଷ ପରେ ନଡ଼ିଆ ଫଳିଲେ ସେହି ପଞ୍ଚାୟତର ରାଜସ୍ୱ ଆଦାୟ ହେବା ସାଂଗକୁ ଗ୍ରାମ ଆର୍ଥିକ ବିକଶିତ ହେବ ବୋଲି ସେ ଦିଗରେ ୟୁନିୟନ ବ୍ୟାଙ୍କ ବିବିଧ ପଦକ୍ଷେପ ନେଇଛନ୍ତି । ପୁନଶ୍ଚ ଉକ୍ତ ଗ୍ରାମର ମହିଳା ସ୍ୱୟଂ ସହାୟକ ସଂଘ ତରଫରୁ ମହିଳାମାନଙ୍କୁ ସକ୍ରୀୟ ଓ ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ଉକ୍ତ ବ୍ୟାଙ୍କ ଋଣ ସହାୟତା ଦେଇ ସ୍ୱାବଲମ୍ବନଶୀଳ କରାଇଛନ୍ତି । ଛତୁଚାଷ, ମାଛଚାଷ, କୁକୁଡ଼ା ପାଳନ, ଗୋ-ପାଳନ, କୃଷି କାର୍ଯ୍ୟ କରିବା ନିମନ୍ତେ ୟୁନିୟନ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛନ୍ତି । କ୍ଷୁଦ୍ରଚାଷୀଙ୍କୁ କୃଷି-ଉଦ୍ୟୋଗୀ କରାଇ ସ୍ୱାବଲମ୍ବନଶୀଳ କରାଇଛନ୍ତି । ଉକ୍ତ ଝରାପଲ୍ଲୀ ଗ୍ରାମକୁ ବିଜୁଳିବତୀ, ଜଳ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିଗରେ ବିଶେଷ ଧ୍ୟାନ ଦେଇ ଆସିଛନ୍ତି । ଝରାପଲ୍ଲୀ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବା ଭିତ୍ତିରେ ବୁଧବାର ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଡ଼ିଜିଏମ୍ ତଥା ଆଞ୍ଚଳିକ ମୁଖ୍ୟ ପରିଚାଳକ ସତ୍ୟବାନ ବେହେରା, ଲିଡ଼-ଡିଭିଜନାଲ ମ୍ୟାନେଜର ଅଶୋକ କୁମାର ପଣ୍ଡା, ସ୍ଥାନୀୟ ଶାଖା ପରିଚାଳକ ସୁଧାକର ରାଓ, ସ୍ଥାନୀୟ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁ, ଚିକିଟି ବ୍ଲକ୍ କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ସହକାରୀ ଉଦ୍ୟାନ ଅଧିକାରୀ ଶୁଭେନ୍ଦୁ କୁମାର ପାଣିଗ୍ରାହୀ, ଗିରିସୋଲା ୟୁନିୟନ ବ୍ୟାଙ୍କ କୋଷାଧ୍ୟକ୍ଷ ରାଜେନ୍ଦ୍ର ରାଉଳ, ଏମ୍.ବି.କେ. ବି. ଗୀତାଞ୍ଜଳି ଦୋରା, ଏଫ୍.ଏଲ୍.ସି. ସଂଯୋଜକ ଦିଲୀପ ଦଳେଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସଭାରେ ଆନୁଷ୍ଠାନିକ ଭାବେ ୟୁନିୟନ ବ୍ୟାଙ୍କ କର୍ତ୍ତୃପକ୍ଷ ଝରାପଲ୍ଲୀ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଉକ୍ତ ଝରାପଲ୍ଲୀ ଗ୍ରାମରେ ଲୋକଙ୍କ ଆଧାର କାର୍ଡ ଲିଙ୍କଠାରୁ ଆରମ୍ଭ କରି ଏଣିକି ସମସ୍ତ ପ୍ରକାର ବ୍ୟାଙ୍କ ସହାୟତା ଗ୍ରାମରେ ହିଁ ଦିଆଯିବ ବୋଲି ଡ଼ିଜିଏମ୍ ସତ୍ୟବାନ ବେହେରା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗଣ୍ୟମାନ୍ୟ ବ୍ୟକ୍ତିଗଣ ଗ୍ରାମର ଲୋକଙ୍କୁ ଅର୍ଥନୈତିକତା ଦିଗରେ ବିକଶିତ କରାଇବାର ମାର୍ଗ ଦେଖାଇ ସଭିଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

five × four =

error: Content is protected !!