
ବଲାଙ୍ଗିର, (କେପିଏନ୍ଏସ୍) : ଅସହାୟ ଓ ଗରିବ ଲୋକଙ୍କ ସହ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସଦାସର୍ବଦା ରହିଛି । ସୁକତେଲ ବୁଡ଼ି ଅଞ୍ଚଳର ଜଣେ ଅସହାୟା ବିସ୍ଥାପିତ ବୃଦ୍ଧାଙ୍କ ମୁହଁରେ ହସ ଫେରାଇ ତାହାକୁ ପ୍ରମାଣ କରିଦେଖାଇଛି ଜିଲ୍ଲା ପ୍ରଶାସନ । ଜଣେ ଦୁର୍ବୃତ୍ତ ଚଞ୍ଚକତା କରି ବୃଦ୍ଧାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି ଙ୍କ ମିଳିତ ଓ ତ୍ୱରାନ୍ୱିତ ଉଦ୍ୟମ ଯୋଗୁଁ ବୃଦ୍ଧାଙ୍କୁ ନ୍ୟାୟ ମିଳିପାରିଛି । ଆଜି ସେ ନିଜର ସମସ୍ତ ଟଙ୍କା ଫେରିପାଇଛନ୍ତି । ସଦର ଥାନା ଅନ୍ତର୍ଗତ ବଡ଼ ତେଲେନପାଲି ଗ୍ରାମର ବୃଦ୍ଧା ପୁରାଣ ଧରୁଆ, ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି ଏବଂ ପୁଅଝିଅ କେହି ନାହାନ୍ତି, ସୁକତେଲ ପ୍ରକଳ୍ପ ବିସ୍ଥାପନ ବାବଦକୁ ମିଳିଥିବା କ୍ଷତିପୂରଣ ଟଙ୍କାକୁ ସେ ବାକି ଜୀବନ ବଞ୍ଚିବା ପାଇଁ ବ୍ୟାଙ୍କରେ ଜମା ରଖିଥିଲେ । କିଛିଦିନ ପରେ ଯେତେବେଳେ ବୃଦ୍ଧାଜଣକ ଟଙ୍କା ଉଠାଇବାକୁ ଯାଇଥିଲେ, ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ ହୋଇଯାଇଛି । ସେ ଏଥିପାଇଁ କୌଣସି ଆବେଦନ କରିନଥିଲେ ମଧ୍ୟ ଚଞ୍ଚକତା କରି କେହି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବୃଦ୍ଧା ପୁରାଣ ନିଜ ଅଭିଯୋଗ ରଖିଥିଲେ । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲାପାଳ ଏବଂ ଏସପି ଗମ୍ଭୀରତାର ସହ ନେଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସକୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନର କଡ଼ା ଆଭିମୁଖ୍ୟ ଓ ତ୍ୱରାନ୍ୱିତ ପଦକ୍ଷେପ ଯୋଗୁଁ ବୃଦ୍ଧା ପୁରାଣ ଧରୁଆ ଶେଷରେ ତାଙ୍କର ସମସ୍ତ ଜମା ପୁଞ୍ଜି ଫେରିପାଇଛନ୍ତି । ଏଭଳି ଜାଲିଆତି ମାମଲାରେ ସଂପୃକ୍ତ ଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଟଙ୍କା ଫେରିପାଇବା ପରେ ଅସହାୟ ବୃଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।