ଅଜନ୍ତା ସର୍କସ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ବର୍ଷ ପରେ ରାଉରକେଲାର ସେକ୍ଟର ୧୩ ପଡିଆଠାରେ ପ୍ରସିଦ୍ଧ ଅଜନ୍ତା ସର୍କସ ଉଦ୍‌ଘାଟିତ ହୋଇଯାଇଛି । ଆରଏସପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ଅଜୟ କୁମାର ନାୟକ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସହର ସେବାର ଭାରପ୍ରାପ୍ତ ମହାପ୍ରବନ୍ଧକ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟ ଅତିଥି, ଅନ୍ୟତମ ମହାପ୍ରବନ୍ଧକ ବିଭାବସୁ ମଲ୍ଲିକ ସମ୍ମାନିତ ଅତିଥି, ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ଯୋଯୋ, ବରିଷ୍ଠ ବିଜେଡି ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ଓ ବିଜେଡି ନଗର ସଭାପତି ଆର୍ତ୍ତ ମହାରଣା ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଦେଶରେ ଅନ୍ୟତମ ପ୍ରସିଦ୍ଧ ସର୍କସ ଭାବେ ଅଜନ୍ତାର ସ୍ୱତନ୍ତ୍ର ପରିଚୟ ଥିବାରୁ ଏହା ରାଉରକେଲା ବାସୀଙ୍କ ଭରପୁର ମନୋରଞ୍ଜନ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ଆୟୋଜକ ରବି ଉଲ ହକ୍ ଓ ବୈକୁଣ୍ଠ ନାଥ ପାତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଅଜନ୍ତା ସର୍କସ ବିଗତ ୫୦ବର୍ଷ ଧରି ଦେଶର ବିଭିନ୍ନ ସହରରେ ଏହାର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହି ସର୍କସ ଆଗାମୀ ୪୦ ଦିନ ଧରି ଚାଲିବାକୁ ଥିବା ବେଳେ ଏହା ସହରବାସୀଙ୍କ ମନୋରଞ୍ଜନ କରିବ । ଭାରତର ବିଭିନ୍ନ ରାଜ୍ୟର କଳାକାରମାନେ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ । ଶୂନ୍ୟରେ ଦୋଳି ଖେଳ, ଘୋଡା ଓ କୁକୁରଙ୍କ ଆକର୍ଷଣୀୟ ଖେଳ, ଝିଅମାନଙ୍କ ରିଂ ବାଲାନ୍ସ, ଦୁଃସାହସିକ ମଟର ସାଇକେଲ ଖେଳ ବା ମୌତ କା କୁଆ, ପାଣି ଖେଳ, ସାଇକେଲ ଖେଳ, ଚେୟାର ଉପରେ ବାଲାନ୍ସ, ପାଇପ ଉପରେ ପଟା ପକାଇ ବାଲାନ୍ସ ଆଦି ଏହି ସର୍କସର ମୁଖ୍ୟ ଆକର୍ଷଣ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ରିହାତିର ବ୍ୟବସ୍ଥା ରହିଥିବା ବେଳେ ଏହାର ସୁଯୋଗ ନେବାକୁ ମ୍ୟାନେଜର ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

twenty − four =