କଳାହାଣ୍ଡି ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦ୍‌ଘାଟନୀ ଉତ୍ସବ ଆଜି ଭବାନୀପାଟଣା ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର ମନ୍ତ୍ରୀ( ସ୍ୱାଧୀନ)ସମ୍ପଦ ଚନ୍ଦ୍ର ସ୍ୱାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶିଳ୍ପ ଓଡିଶା ସରକାର ଯୋଗଦେଇ ଏହି ମେଳାର ଶୁଭ ଉଦ୍‌ଘାଟନ କରିଥିଲେ । ବିଭିନ୍ନ ବିଭାଗୀୟ ବିକାଶର ସଚେତନତା ସମ୍ୱନ୍ଧୀୟ ୨୫ ଗୋଟି ଷ୍ଟଲ୍ ମୁଖ୍ୟ ଅତିଥି ବୁଲି ଦେଖିଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାରଙ୍କର ଏକ ଶତ ଦିନ ପୂର୍ତ୍ତୀ ଅବସରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ, ବିଧାୟକ ଧର୍ମଗଡ଼ ସୁଧୀର ପଟ୍ଟଯୋଷୀ, କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ବିକାଶ ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସରକାରଙ୍କର କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା, କର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରେ ୫ ଜଣ ସୁଭଦ୍ରା ହିତାଧିକାରୀ ମାନଙ୍କୁ ୫୦ ହଜାର ଟଙ୍କା ୫ ବର୍ଷ ପାଇଁ ଡମି ଚେକ୍ ମୁଖ୍ୟ ଅତିଥିଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ବିକାଶ ମେଳା ଉଦ୍‌ଘାଟନୀ ଉତ୍ସବ ପରେ ପଲିଟେକନିକ୍, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଏହି ବିକାଶ ମେଳା ୨୨ ତାରିଖ ଯାଏ ଚାଲିବ । ସନ୍ଧ୍ୟାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାରୋହରେ ଏହି ସମାରୋହରେ ଅତିରିକ୍ତ ଜିଲାପାଳ କୃଷ୍ଣଚନ୍ଦ୍ର ପାତ୍ର ସିଡିଓ, ଜିଲ୍ଲାପରିଷଦ ଦୟାମୟ ପାଢୀଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ୫ ହଜାରରୁ ଅଧିକ ମହିଳା, ପୁରୁଷ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!