ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ରର ଉଦ୍‌ଘାଟନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥିମାନଙ୍କୁ ଆଲୋଚନାଚକ୍ରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତିର କେତେକ ମୁଖ୍ୟ ବିଷୟବସ୍ତୁ ଗୁଡ଼ିକୁ ନେଇ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ସଂଯୋଗ କରି ଏହାର ପ୍ରୟୋଗାତ୍ମକ ସମସ୍ୟା ଗୁଡ଼ିକ ଉପରେ ନିଜର ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଇଗ୍ନୋର ପ୍ରଫେସର ସନ୍ତୋଷ ପଣ୍ଡା ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ । ମହାରାଜା ଶୟଜିରାଓ ବିଶ୍ଵବିଦ୍ୟାଳୟ ବରୋଦାର ପ୍ରଫେସର ସୁଦର୍ଶନ ଚକ୍ର ପାଣିଗ୍ରାହୀ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିକ୍ଷଣରେ ଫଳାଫଳ ଉପରେ ଗୁରୁତ୍ୱ ଦେଇ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ । ଏନ୍‌ସିଇଆର୍‌ଟିର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଫଳାଫଳ ଉପରେ ଆଧାରିତ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଏହାକୁ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସଂଯୋଗ କରି ଶିକ୍ଷାର ଗୁଣବତ୍ତାକୁ ବଜାୟ ରଖିବା ପାଇଁ ଏହାକୁ ଏକ ଉତ୍ତମ ମାଧ୍ୟମ ବୋଲି ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ଭେଙ୍କଟେଶ୍ୱର ମେହେର ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେରେ ଦେଶର ବିଭିନ୍ନ ରାଜ୍ୟରୁ ଗବେଷକ, ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାବିତ୍ ବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

eighteen + 13 =