ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣା, ପ୍ରତାରକ ପ୍ରେମିକଙ୍କୁ ଗିରଫ କରି ପୁଲିସର କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଗ୍ରାମର ପୁରନ୍ଦର ବିଶି ନାମକ ଜଣେ ପ୍ରତାରକ ପ୍ରେମିକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସଂପୃକ୍ତ ଯୁବତୀଙ୍କୁ ପ୍ରେମିକ ପୁରନ୍ଦର ନିଜ ପ୍ରେମ ଜାଲରେ ଫସାଇ ଦୀର୍ଘଦିନରୁ ଭଲ ପାଇବା ଓ ବିବାହର ମିଛ ପ୍ରତିଶ୍ରୁତି ଦେଇ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିଆସୁଥିଲା । ପ୍ରତିଦିନ ଡରାଇ ଧମକାଇ ଶାରୀରିକ ସମ୍ପର୍କ ରଖୁଥିବାରୁ ବିବାହ କରିବା ପାଇଁ କହିଲେ ଦିନ ଗଡାଇ ଚାଲିଥିଲା । ଗତ ଜାନୁଆରୀ ମାସ ୫ ତାରିଖ ଦିନ ପ୍ରେମିକ ପୁରନ୍ଦର ଯୁବତୀଙ୍କୁ ଧରି ଗାଁରୁ ଫେରାର ହୋଇଯାଇଥିଲା । ସେ ଯୁବତୀଙ୍କୁ ନେଇ ନୂଆପଡ଼ା ଜିଲ୍ଲା ତିଖାଲି ଡ୍ୟାମକୁ ନେଇ ବୁଲାବୁଲି କରିବା ସହ ସେଠାରୁ ନିକଟସ୍ଥ ଜଡ଼ାମୁଡ଼ା ଗାଁକୁ ନେଇ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲା । ଜଡ଼ାମୁଡ଼ା ଗାଁରେ ଥିବା ବେଳେ ପ୍ରେମିକ ପୁରନ୍ଦରଙ୍କ କେତେଜଣ ସମ୍ପର୍କୀୟ ଏକ ବୋଲେରୋରେ ପହଞ୍ଚି ପୁରନ୍ଦର ଓ ସଂପୃକ୍ତ ଯୁବତୀଙ୍କୁ ଗୁଡିଘାଟ ଗ୍ରାମକୁ ନେଇ ଆସିଥିଲେ । ଗୁଡିଘାଟ ଗ୍ରୀଡ ପାଖରେ ଯୁବତୀଙ୍କୁ ଛାଡି ଦେଇଥିଲେ । ଯୁବତୀ ଘରକୁ ଫେରି ସବୁ କଥା ପରିବାର ଲୋକଙ୍କୁ ଜଣାଇଥିଲା । ଏହା ପରେ ପୁରନ୍ଦରଙ୍କୁ ବିବାହ ପାଇଁ କହିଲେ ସେ ଆଉ ଧରାଛୁଆଁ ଦେଇନଥିଲେ । ବାରମ୍ବାର ଅନୁରୋଧ ପରେ ମଧ୍ୟ ପ୍ରେମିକ ଜଣକ ଶୁଣିନଥିଲେ । ଶେଷରେ ଯୁବତୀ ଜଣଙ୍କ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଏତଲା ଆଧାରରେ ପୁଲିସ କେସ ନଂ ୪୪/୨୦୨୪ରୁଜ୍ଜୁ କରି ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ପରେ ଶୁକ୍ରବାର ପ୍ରତାରକ ପ୍ରେମିକ ପୁରନ୍ଦର ବିଶିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ଗୁଡିଘାଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

16 + fifteen =