
- ଭାରତର ଘରୋଇ କ୍ଷମତା, ବିବିଧତା ଏବଂ ଖୋଲାପଣ ଉପରେ ଦେଶର ଆର୍ଥିକ ଦୃଢ଼ତା ନିର୍ଭରଶୀଳ: ଡକ୍ଟର ପି.କେ. ମିଶ୍ର
- ବିଶ୍ୱ କେବଳ ବିପଦ ନୁହେଁ, ବରଂ ଅନିଶ୍ଚିତତାର ସାମ୍ନା କରୁଛି: ପରିବର୍ତ୍ତିତ ବିଶ୍ୱ ଆର୍ଥିକ ପରିବେଶ ଉପରେ ମତ ରଖି କହିଲେ ଡକ୍ଟର ମିଶ୍ର
- ବିଶ୍ୱ ଅସ୍ଥିରତା ବଢ଼ୁଥିବା ସମୟରେ ଭୌଗଳିକ କ୍ଷେତ୍ର ପୁଣିଥରେ ଆର୍ଥିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି: ଡକ୍ଟର ପି.କେ. ମିଶ୍ର
- ଦୃଢ଼ତା ମାଗଣାରେ ମିଳେ ନାହିଁ; ତେବେ ପ୍ରଶ୍ନ ହେଉଛି ବିପଦ ହିସାବରେ ଏହାର ପ୍ରିମିୟମ ଉଚିତ୍ କି ? ବିଶ୍ୱ ଧକ୍କା ପାଇଁ ପ୍ରସ୍ତୁତିର ଆର୍ଥିକ ମୂଲ୍ୟ ଉପରେ ବକ୍ତବ୍ୟ ଦେଇ କହିଲେ ଡକ୍ଟର ମିଶ୍ର
- ‘‘ଆର୍ଥିକ ସୁରକ୍ଷା ଆତ୍ମନିର୍ଭରଶୀଳତା ଓ ଜଗତିକରଣ ମଧ୍ୟରେ ନିହିତ ରହିଛି : ବିପଦ ରଣନୀତିକ ହୋଇଥିଲେ ଘରୋଇ କ୍ଷମତା ବୃଦ୍ଧି ଏବଂ ଗୋଟିଏ ଉତ୍ସ ଉପରେ ନିର୍ଭରଶୀଳତା ବିପଦପୂର୍ଣ୍ଣ ହୋଇଥିଲେ ବିବିଧତା ଆଣିବା ଜରୁରୀ’’
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ନୂଆଦିଲ୍ଲୀରେ ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ‘‘ଏ ୱାର୍ଲ୍ଡ ପ୍ରାଇସଡ୍ ଫର୍ ରିସ୍କ’’ ବା ବିପଦ ହିସାବରେ ବିଶ୍ୱରେ ମୂଲ୍ୟ ନିର୍ଦ୍ଧାରଣ- ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଅଧିବେଶନରେ ଡକ୍ଟର ମିଶ୍ର ବକ୍ତବ୍ୟ ରଖିଛନ୍ତି । ସେ ତାଙ୍କର ଉଦବୋଧନରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଦୃଢ଼ତା, ବିବିଧତା ଏବଂ ରଣନୀତିକ ପ୍ରସ୍ତୁତିର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତ ରଖିଛନ୍ତି ।
ଡକ୍ଟର ମିଶ୍ର କହିଥିଲେ, ଆର୍ଥିକ ବିପଦର ପ୍ରକୃତି ଉଲ୍ଲେଖନୀୟ ଭାବେ ବଦଳିଛି । ସମ୍ପ୍ରତି ବିଶ୍ୱ କେବଳ ସାଧାରଣ ଆକଳନଯୋଗ୍ୟ ବିପଦର ସାମ୍ନା କରୁନାହିଁ, ବରଂ ଏପରି ଅନିଶ୍ଚିତତାର ସାମ୍ନା କରୁଛି ଯାହାର ନିର୍ଦ୍ଦିଷ୍ଟ ସମ୍ଭାବନା ଉପରେ ଭରସା କରିହେବ ନାହିଁ । ମହାମାରୀ, ଭୂରାଜନୈତିକ ସଂଘର୍ଷ, ଯୋଗାଣ ଶୃଙ୍ଖଳ ବାଧା, ବାଣିଜ୍ୟିକ କଟକଣା ଏବଂ ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତିବିଦ୍ୟା ଏହି ସମସ୍ୟାକୁ ଅଧିକ ସ୍ପଷ୍ଟ ରୂପେ ଉଜାଗର କରିଛି ।
ଡକ୍ଟର ମିଶ୍ର କହିଥିଲେ, ପ୍ରଯୁକ୍ତିବିଦ୍ୟା ଆସିବା ଫଳରେ ଭୂଗୋଳର ସ୍ଥିତି ଅପ୍ରାସଙ୍ଗିକ ହୋଇପଡ଼ିଛି ବୋଲି ଏକଦା ବିଚାର କରାଯାଉଥିଲା । ସମ୍ପ୍ରତି ଏହା ଆର୍ଥିକ ନିଷ୍ପତ୍ତି ପ୍ରକ୍ରିୟାର କେନ୍ଦ୍ରକୁ ଚାଲିଆସିଛି । ଜାହାଜ ଚଳାଚଳ ମାର୍ଗରେ ପ୍ରତିବନ୍ଧକ ହଜାର ହଜାର କିଲୋମିଟର ଦୂରରେ ଇନ୍ଧନ ମୂଲ୍ୟକୁ ପ୍ରଭାବିତ କରିପାରେ । ଅନ୍ୟପଟେ ଗୋଟିଏ ଜାଗାରେ ଗୁରୁତ୍ୱପୂର୍ଣ୍ଣ ଖଣିଜକେନ୍ଦ୍ରୀତ ହେବା ଏବଂ ସେଗୁଡ଼ିକର ପ୍ରକ୍ରିୟାକରଣ ନୂଆ ବିପଦ ସୃଷ୍ଟି କରିଛି। ସେହିପରି ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନ ମଧ୍ୟ ନୂଆ ପ୍ରକାରର ରଣନୀତିକ ନିର୍ଭରଶୀଳତା ଆଣିଛି ଯାହାର ସମାଧାନ କରିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି ।
ଡକ୍ଟର ମିଶ୍ର କହିଥିଲେ, ଅନିଶ୍ଚିତତା ଆର୍ଥିକ ଆଚରଣରେ ପରିବର୍ତ୍ତନ ଆଣିଛି। ଫାର୍ମଗୁଡ଼ିକ ଭିନ୍ନ ଭିନ୍ନ ଯୋଗାଣକାରୀଙ୍କ ଉପରେ ନିର୍ଭର କରୁଛନ୍ତି, ମହଜୁଦ ସାମଗ୍ରୀର ହିସାବ ବଜାୟ ରଖୁଛନ୍ତି ଏବଂ ବିକଳ୍ପ ଉତ୍ପାଦନ କ୍ଷମତା ବିକଶିତ କରୁଛନ୍ତି । ଅନ୍ୟପଟେ ସରକାର ଭଣ୍ଡାର, ବିତ୍ତୀୟ ସଞ୍ଚୟ ଏବଂ ରଣନୀତିକ କ୍ଷମତାକୁ ମଜବୁତ କରୁଛନ୍ତି । ଦୃଢ଼ତା ମାଗଣାରେ ଆସେ ନାହିଁ । ତେବେ ମୁଖ୍ୟ ଆର୍ଥିକ ପ୍ରଶ୍ନ ହେଉଛି, ସମ୍ଭାବ୍ୟ ବ୍ୟାଘାତକୁ ଏଡ଼ାଇବା ଲାଗି ଦୃଢ଼ତା ବଜାୟ ରଖିବା ନିମନ୍ତେ ଦିଆଯାଉଥିବା ପ୍ରିମିୟମ ବା ଅତିରିକ୍ତ ମୂଲ୍ୟ ଯଥାର୍ଥ କି ବୋଲି ଡକ୍ଟର ମିଶ୍ର ପ୍ରଶ୍ନ କରିଥିଲେ ।
ସେ କହିଥିଲେ, ସାରା ବିଶ୍ୱରେ ଯେଉଁ ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳୁଛି ତାହାକୁ ଜଗତିକରଣ ଠାରୁ ପଛଘୁଞ୍ଚା ବୋଲି କୁହାଯାଇପାରିବ ନାହିଁ, ବରଂ ଅଧିକ ଅସ୍ଥିର ବିଶ୍ୱରେ ଏହାକୁ କିଭଳି ପୁଣିଥରେ ବ୍ୟବସ୍ଥିତ କରାଯାଇପାରିବ ସେଥିପାଇଁ ଚିନ୍ତା କରିବା ଲାଗି ସୁଯୋଗ ଆସିଛି । ବିଭିନ୍ନ ଦେଶ ନିଜର ଘରୋଇ କ୍ଷମତାଗୁଡ଼ିକ ଭିନ୍ନ ଭିନ୍ନ ଭାବେ ଅନ୍ତର୍ଜାତୀୟ ଭାଗିଦାରୀ, ରଣନୀତିକ ଭଣ୍ଡାର, ବିକଳ୍ପ ଯୋଗାଣ ଶୃଙ୍ଖଳ ଏବଂ ଗଭୀର ଆର୍ଥିକ ସହଯୋଗ ସହ ଯୋଡ଼ିବା ଲାଗି ଚେଷ୍ଟା କରୁଛନ୍ତି ।
ଭାରତର ଅଭିଜ୍ଞତା ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ଦୃଢ଼ତାର ଅର୍ଥ ବିଶ୍ୱ ଠାରୁ ପୃଥକ ରହିବା ନୁହେଁ । ଏହାର ଅର୍ଥ ହେଉଛି ବିଶ୍ୱସ୍ତରୀୟ ବିପଦ ପ୍ରତି ଅତ୍ୟଧିକ ଅସୁରକ୍ଷିତ ନ ରହି ଉନ୍ମୁକ୍ତ ରହିବାର କ୍ଷମତା । ବିଶ୍ୱ ଅସ୍ଥିରତାର ସାମ୍ନା କରିବା ଲାଗି ଭାରତର ପ୍ରତିକ୍ରିୟା ସମ୍ପର୍କରେ ମତ ରଖି ସେ କହିଥିଲେ, ଊର୍ଜା ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ, ରଣନୀତିକ ଶିଳ୍ପ କ୍ଷମତା ଏବଂ ବାହ୍ୟ ଆର୍ଥିକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିବିଧ ତତ୍ତ୍ୱକୁ ଆଧାର କରି ଭାରତ ଆଗକୁ ବଢ଼ୁଛି ।
ଡକ୍ଟର ମିଶ୍ର ଜୋର୍ ଦେଇ କହିଥିଲେ, ଦୃଢ଼ତା ସହିତ ଉତ୍ପାଦକତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଆସିବା ଆବଶ୍ୟକ । ସେ କହିଥିଲେ, ଘରୋଇ କ୍ଷମତା ବୃଦ୍ଧିର ଅର୍ଥ ନୁହେଁ ଯେ, କୌଣସି ପରିସ୍ଥିତିରେ ଆମଦାନୀ ହ୍ରାସ କରିବା । ବରଂ ଏପରି କ୍ଷମତା ବିକଶିତ କରାଯିବା ଉଚିତ ଯାହା ପ୍ରତିଦ୍ୱନ୍ଦ୍ୱୀ, ବ୍ୟାପକ ଏବଂ ଶେଷରେ ବିଶ୍ୱ ବଜାରର ସେବା କରିବାରେ ସକ୍ଷମ ହୋଇଥିବ । ସେ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଫାର୍ମାସ୍ୟୁଟିକାଲ୍ସ ଏବଂ ଅନ୍ୟ ରଣନୀତିକ କ୍ଷେତ୍ରରେ ଜାରି ରହିଥିବା ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ସମଷ୍ଟିଗତ ଆର୍ଥିକ ଦୃଢ଼ତାର ଗୁରୁତ୍ୱ ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଆର୍ଥିକ ସୁଯୋଗ, ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ଭଣ୍ଡାର, ଏକ ମଜବୁତ ଆର୍ଥିକ ବ୍ୟବସ୍ଥା ଏବଂ ବିଶ୍ୱସନୀୟ ପ୍ରତିଷ୍ଠାନ ଦେଶଗୁଡ଼ିକୁ ବାହ୍ୟ ଧକ୍କାର ସାମ୍ନା କରିବାର କ୍ଷମତା ପ୍ରଦାନ କରିଥା’ନ୍ତି । ସୁରକ୍ଷା ଓ ଦୀର୍ଘସ୍ଥାୟିତ୍ୱର କ୍ରମାଗତ ଭାବେ ପରସ୍ପରର ପରିପୂରକ ପାଲଟୁଛନ୍ତି । ଶକ୍ତି, ଖାଦ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସୁରକ୍ଷା ମଧ୍ୟ ଲଗାତାର ପରସ୍ପର ସହ ଯୋଡ଼ି ହେଉଛନ୍ତି ।
ଶେଷରେ ଡକ୍ଟର ମିଶ୍ର କହିଥିଲେ, ଆତ୍ମନିର୍ଭରଶୀଳତା ଏବଂ ଜଗତିକରଣ ମଧ୍ୟରେ ଦୃଢ଼ତା ଏକ ବିକଳ୍ପ ନୁହେଁ । ଏହି ଦୁଇଟି ମଧ୍ୟରେ ମାର୍ଗ ଅଧିକ ବୁଦ୍ଧିମତାପୂର୍ଣ୍ଣ । ଯେଉଁଠି ବିପଦ ରଣନୀତିକ ସେଠାରେ ଘରୋଇ କ୍ଷମତା ବିକାଶ କରାଯିବା ଉଚିତ୍ । ଯେଉଁଠି ଗୋଟିଏ ସ୍ଥାନରେ ନିର୍ଭରଶୀଳତା ବିପଦପୂର୍ଣ୍ଣ ହୋଇଥିବ ସେଠାରେ ବିବିଧତା ଆଣିବା ଏବଂ ଯେଉଁଠି ବିଶ୍ୱସ୍ତରୀୟ ଏକୀକରଣ ଦ୍ୱାରା ଉତ୍ପାଦକତା ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇଛି, ସେଠାରେ ଖୋଲାପଣ ଆପଣାଇବା ଜରୁରୀ । ଆତ୍ମନିର୍ଭରଶୀଳତାର ବ୍ୟାପକ ଅର୍ଥ ବିଷୟରେ ଉଲ୍ଲେଖ କରି ସେ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ମନେ ପକାଇଥିଲେ –‘‘ଆତ୍ମନିର୍ଭରଶୀଳତାର ଅର୍ଥ ବିଶ୍ୱ ଠାରୁ ବିଚ୍ଛିନ୍ନ ହୋଇଯିବା ନୁହେଁ, ବରଂ ଏହାର ଅର୍ଥ ହେଉଛି ନିଜେ ଆତ୍ମନିର୍ଭର ହେବା ଏବଂ ଉତ୍ପାଦନ ଲାଗି ସକ୍ଷମ ହେବା ।’’