୭ଟି ଆର୍ମି ପବ୍ଲିକ୍ ସ୍କୁଲସ୍ତରୀୟ ଟପ୍ପର ହେଲେ ରଜତ କୁମାର ପାଢ଼ୀ

• ଗୋଳାବନ୍ଧ ଆର୍ମି ସେନାମୁଖ୍ୟଙ୍କ ଦ୍ଵାରା ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ଗୌରବ ଓ ସୁନାମ ଆଣିଛନ୍ତି, ଜଣେ ଆର୍ମି ଛାତ୍ର । ଗୋପାଳପୁର ବେଳାଭୂମିଠାରେ ଅବସ୍ଥିତ ଗୋଳାବନ୍ଧ ମିଲିଟାରୀଷ୍ଟେସନ ଆର୍ମି ପବ୍ଲିକ୍ ସ୍କୁଲରେ ଅଧ୍ୟୟନରତ ଛାତ୍ର ରଜତ କୁମାର ପାଢ଼ୀ ଯୁକ୍ତଦୁଇ ଅର୍ଥାତ ଦ୍ଵାଦଶ ଶ୍ରେଣୀରେ ୯୮.୮ ପ୍ରତିଶତ ନମ୍ବର ରଖି ଭାରତର ସର୍ବମୋଟ ୭ଟି ଆର୍ମି ପବ୍ଲିକ୍ ସ୍କୁଲ ସ୍ତରରୁ ଟପ୍ପର ହୋଇଛନ୍ତି । ଏନେଇ ଗୋଳାବନ୍ଧ ଆର୍ମି ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଆର୍ମି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ପ୍ରଦୀପ କୁମାର, ଆର୍ମି କୋମାଣ୍ଡେଣ୍ଟ ମନୀଷ ଆନନ୍ଦଙ୍କ ସମେତ ଶିକ୍ଷାୟତନ ପରିସରରେ ସମବେତ ବହୁ ଆର୍ମି ଅଧିକାରୀଙ୍କ ଗହଣରେ ମାନପତ୍ର ସହ ୩୦ ହଜାର ଟଙ୍କାମୂଲ୍ୟର ଏକ ସାମ୍‌ସଙ୍ଗ୍‌ ଟେବଲେଟ ଉପହାର ସହ ମାନପତ୍ର ଦେଇ କୃତି ଛାତ୍ର ରଜତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରଜତ ଆଇଆରଇ (ଇଣ୍ଡିଆ) ଲିଃ. ଅଧୀନସ୍ଥ ଅଟୋମିକ ଏନାର୍ଜି- ସେଣ୍ଟ୍ରାଲ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ । ପରେ ସେଠାରୁ ଗୋଳାବନ୍ଧ ଆର୍ମି ପବ୍ଲିକ୍ ସ୍କୁଲରେ ଆଡ଼ମିଶନ ହୋଇଛନ୍ତି । ସେ ଜଣେ କୃତି ଓ ବିଚକ୍ଷଣ ଛାତ୍ର ଭାବେ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ପିତା ଲକ୍ଷ୍ମୀ ନାରାୟଣ ପାଢ଼ୀ, ମାତା ପଦ୍ମାବତୀ ପାଢ଼ୀ ଏବଂ ସୁରେନ୍ଦ୍ର ନାଥ ପାଢ଼ୀଙ୍କ ନାତି ତଥା ଛତ୍ରପୁରସ୍ଥ ଶଙ୍କର ମଠ ସାହିର ବାସିନ୍ଦା ଅଟନ୍ତି । ରଜତଙ୍କ କୃତିତ୍ୱ ନେଇ ଉକ୍ତ ପରିବାରରେ ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ସ୍ତରରୁ ଛାତ୍ର ରଜତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.