jayashree

ଜେଲ୍‌ରୁ ପୁଅକୁ ମୁକ୍ତ କରାଇବା ନାଁରେ ଠକେଇ, କୋରେଇ ଥାନାରେ ମାମଲା ରୁଜୁ

ଯାଜପୁର : ଜେଲ୍‌ରେ ଥିବା ପୁଅକୁ ମୁକ୍ତ କରାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ଚନ୍ଦାମା ଗ୍ରାମର ପ୍ରଭାତୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଫଜଲପୁର ଗ୍ରାମର ଅବିନାଶ ସାହୁ ତାଙ୍କ ପୁଅକୁ ଜେଲ୍‌ରୁ ମୁକ୍ତ କରାଇଦେବାକୁ କହି ପୂର୍ବରୁ ୧ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ । ମହିଳା ଅଭିଯୋଗ କରିଛନ୍ତି ଯେ, ଟଙ୍କା ଦେବା ପରେ ମଧ୍ୟ ତାଙ୍କ ପୁଅ ଜେଲ୍‌ରୁ ମୁକ୍ତ ହୋଇନାହାନ୍ତି । ଏପରିକି ଅଭିଯୁକ୍ତ ପୁଣିଥରେ ଅଧିକ ଟଙ୍କା ଦାବି କରୁଥିବା ସହ ଟଙ୍କା ନ ଦେଲେ ଗୁଣ୍ଡା ଲଗାଇ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗକୁ ଗୁରୁତ୍ୱର ସହ ନେଇ କୋରେଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୧୮(୪), ୩୧୬(୫) ଏବଂ ୩୫୧(୨) ଅନୁଯାୟୀ ମାମଲା ରୁଜୁ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ନିଜକୁ ଜଣେ ଡିଏଫ୍‌ଓ ଭାବେ ପରିଚୟ ଦେଇ ଅନେକ ଲୋକଙ୍କ ସହ ଠକେଇ କରିଥାଇପାରନ୍ତି । ସେ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିବା ସହ କିଛିଦିନ ତଳେ ହୋଇଥିବା ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତ ସମୟରେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ଜଣେ ସବ୍-ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବେଳେ, ଜେଲ୍‌ରୁ ମୁକ୍ତି ଦେବା ନାଁରେ ଟଙ୍କା ଆଦାୟ ପଛରେ କୌଣସି ବଡ଼ ଚକ୍ର କାମ କରୁଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.