
- ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଚରମ ଅବ୍ୟବସ୍ଥା ଓ ଡାକ୍ତରୀ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି । ଚିଙ୍ଗେରବନ୍ଧ ଗ୍ରାମର ଶରତ ମେହେରଙ୍କ ସ୍ତ୍ରୀଙ୍କୁ ଗର୍ଭଯନ୍ତ୍ରଣା ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣାଯାଇଥିଲା, କିନ୍ତୁ ରାତିରେ ଡ୍ୟୁଟିରେ ଡାକ୍ତର ଉପସ୍ଥିତ ନଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ବାରମ୍ବାର ବଲାଙ୍ଗିର ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ରହିଛି । ଶେଷରେ ଦୀର୍ଘ ସମୟ କଷ୍ଟ ପାଇବା ପରେ ଆଜି ସକାଳେ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ କହିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।