ଗଞ୍ଜାମ ଜିଲ୍ଲାରେ ବୁଥ-ୱାଇଜ ଟୀକାକରଣ : ପ୍ରାଥମିକ ପର୍ୟ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ସଫଳ ଟୀକାକରଣରେ ତ୍ୱରାନ୍ୱିତ ପ୍ରତି ଗୁରୁତ୍ୱ ଦେଲେ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳ ଯଥା- ୧୬ ଟି ଏନ.ଏ.ସି. ହିଞ୍ଜିଳି ମ୍ୟୁନିସିପାଲଟି, ବ୍ରହ୍ମପୁର ମହାନଗର ନିଗମାଞ୍ଚଳ ସହ ୨୨ଟି ବ୍ଲକ ୪୭୬ଟି ଗ୍ରାମପଞ୍ଚାୟତରେ ଭୋଟ ଦିଆଯିବା ଭଳି କୋଭିଡ୍ ଟିକାକରଣ ହେବ । ଅର୍ଥାତ ଏହି କାର୍ୟ୍ୟ ନିର୍ବାଚନ ପରି ବୁଥ-ୱାଇଜ ମାଧ୍ୟମରେ ଟୀକାକରଣ ସମ୍ପନ କରାଯିବ । ଏହାକୁ ସୁରୁଖୁରୁରେ ତ୍ୱରାନ୍ୱିତ କିଭଳି ହେବ ସେ ଦିଗରେ ଗୁରୁତ୍ବାରୋପ କରି ଟୀକାକରଣକୁ ସଫଳରୂପାୟନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ଦ୍ବିତୀୟ ଲହରର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ୟ୍ୟ । ଏଥିପାଇଁ ଜିଲ୍ଲାରେ ଏକ ମୋବାଇଲ୍ ଟିମ୍ ଗଠନ କରାଯାଉଛି, ଦୁର୍ଗମ ଅଞ୍ଚଳ ଯଥା ପାହାଡ, ପାର୍ବତ୍ୟାଞ୍ଚଳ, ତଟ-କୂଳ, ଉପକୂଳ-ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କୁ ସଭିଙ୍କୁ ଟୀକାକରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ବୁଲା ବିକାଳୀ, ପରିବା ବିକ୍ରେତା,, ସେଲୁନ୍ ବାଲା, ତେଜରାତି ଦୋକାନୀ, ଗ୍ୟାରେଜରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟିକାକରଣ କାର୍ୟ୍ୟକୁ ସଫଳ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅପରାହ୍ନରେ ସମସ୍ତ ବିଡିଓ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ କରି ସମସ୍ତପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଜନ ଗହଳି-ପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଜନ- ବସତି ଅଞ୍ଚଳ, ଦୂର୍ଗମ-ଅଞ୍ଚଳରେ ନିର୍ବାଚନ ଢାଞ୍ଚାରେ ଟିକାକରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ ବୋଲି ଜଣାଯାଇଛି । ଗ୍ରାମାଞ୍ଚଳ ଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ ପୂର୍ବତନ କାଉନସିଲର ମାନଙ୍କ ସହ ମିଶି ଟୀକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି/ ସ୍ଲିପ ଦେବାପାଇଁ ଜିଲ୍ଲାପାଳ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଏହାର ସମୀକ୍ଷା କରିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । କରୋନା ଚେନ୍ ରୋକିବା ନିମନ୍ତେ ତହସିଲଦାର ମାନେ ପୂର୍ବାହ୍ନ ୭ ଘ. ରୁ ପୂର୍ବାହ୍ନ ୧୧ ଘ. ପର୍ୟ୍ୟନ୍ତ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତ୍ବ ରକ୍ଷା କରାଯାଉଛି କି ନାହିଁ, ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବୃଦ୍ଧ, ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତି ବିଶେଷଙ୍କୁ ଗାଡିରେ ଆଣି ଟିକାକରଣ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍- ଲାଇନ୍ ଓ ଅଫ୍- ଲାଇନ୍‌ରେ ରେଜିଷ୍ଟ୍ରସନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟୀକା ଦିଆଯିବ । ଟିକାକରଣ କାର୍ୟ୍ୟ ଜିଲ୍ଲାରେ ଯେପରି ଶତପ୍ରତିଶତ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଅଧିକାରୀ, କର୍ମଚାରୀମାନେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ କହିଥିଲେ ।

ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ୍ବ. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × three =