ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର
ଭୁବନେଶ୍ୱର, (ପିଆଇବି) : ‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ’’ ଉପରେ ଏକ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ(ଆଇସିଏଆର୍-ସିଆଇଡବ୍ଲୁଏ)ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗ ସହଯୋଗରେ ୨ରୁ ୫ ସେପ୍ଟେମ୍ବର ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇସିଏଆର୍-ସିଆଇଡବ୍ଲୁଏର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ମହିଳାଙ୍କ ସଶକ୍ତୀକରଣ ପାଇଁ ଲିଙ୍ଗଗତ ସମାବେଶୀ ପଦ୍ଧତି ଉପରେ ଗୁରୁତ୍ୱ ଦେଇ ଗୋଖାଦ୍ୟ ଚାଷକୁ ପ୍ରୋତ୍ସାହିତ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ । ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଡକ୍ଟର ରାଜୀବ ଶର୍ମା ସମନ୍ୱୟ ପଦ୍ଧତିରେ ପ୍ରାଣୀସମ୍ପଦ କ୍ଷେତ୍ରରେ କ୍ଷେତ୍ର ସ୍ତରୀୟ କର୍ମୀଙ୍କ କ୍ଷମତା ନିର୍ମାଣ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ୨୬ଟି ଜିଲ୍ଲାର ପାରା-ଭେଟ୍/ଗୋଖାଦ୍ୟ ବିକାଶ ଅଧିକାରୀଙ୍କୁ ନେଇ ଗଠିତ ମୋଟ ୨୯ଜଣ ଅଂଶଗ୍ରହଣକାରୀ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଉତ୍ପାଦନ ବୃଦ୍ଧି, ସାଇଲେଜ୍ ଏବଂ ଘାସ ତିଆରି ମାଧ୍ୟମରେ ଗୋଖାଦ୍ୟର ମୂଲ୍ୟ ବୃଦ୍ଧି ଏବଂ ଚାରା ଆଧାରିତ ପରିଦୃଶ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦକତାରେ ଉନ୍ନତି ପାଇଁ କୃଷି ସମ୍ବନ୍ଧୀୟ ପଦ୍ଧତି ପ୍ୟାକେଜ୍ ଉପରେ ବୈଷୟିକ ଜ୍ଞାନ ସାମିଲ କରାଯାଇଥିଲା । ଏହି ତାଲିମର ଲକ୍ଷ୍ୟ ହେଉଛି, ଓଡିଶା ସରକାରଙ୍କ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଓଡିଶାରେ ଗୋଖାଦ୍ୟ ସମ୍ପଦ ବିକାଶ ଯୋଜନାରେ ଏକ ସମ୍ବଳ କେନ୍ଦ୍ର ନିର୍ମାଣ କରିବା । ଆଇସିଏଆର୍-ସିଆଇଡବ୍ଲୁଏର ବୈଜ୍ଞାନିକ ପ୍ରଫେସର ଡକ୍ଟର ବିଶ୍ୱନାଥ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।