
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଲଗାଣ ବର୍ଷା ଓ ବନ୍ୟାଜଳ ପ୍ରଭାବରେ ଧୁମାଭଟା ଗ୍ରାମପଞ୍ଚାୟତ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଚାଷଜମିର ପରିସ୍ଥିତି ଅନୁଧ୍ୟାନ ପାଇଁ ଆର୍ଆଇ ନିଷାନ ସୁରେନ, ଭିଏଲ୍ଡବ୍ଲ୍ୟୁ ବାବୁଲାଲ ସାହୁ ଏବଂ ସରପଞ୍ଚ ବନମାଳୀ ନାଏକ ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ । ତଦାରଖ ସମୟରେ ଧୁମାଭଟା, ଜଳିଆ, ହଟକଟ, ଖଲଖଲି, ରାଏଖାଲ, କଲଚିକଛାର, ଡାହିମାଲ ଓ ଅଏଁଲାପାଲି ସମେତ ବିଭିନ୍ନ ଗାଁରେ ଧାନ, କପା, ବିରି, ମୁଗ ଓ ଅନ୍ୟାନ୍ୟ ଫସଲ ବନ୍ୟାଜଳରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଅନେକ ଚାଷୀ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିବା ଜଣାପଡ଼ିଛି । ପରିଦର୍ଶନ ବେଳେ ପ୍ରକାଶ ଦେଓ, ନିତ୍ୟା ଦେଓ, କୈଳାଶ ଦେଓ, ବନମାଳୀ ରାଉତ, ପ୍ରଫୁଲ୍ଲ ବୁଡେକ, ନିତ୍ୟା ବୁଡେକ, ଆଦିକନ୍ଦ ସାହୁ, ସରଧାକର ସାହୁ, ଇନ୍ଦ୍ରମଣୀ ଦେଓ, ଘନ ଦେଓ, ଭୁବନ ଦେଓ, ରୂପା ଦେଓ, ବୃଷଭ ବୁଡେକ, ପରଦେଶୀ ବୁଡେକ ଓ ଭୃଙ୍ଗରାଜ ବୁଡେକଙ୍କ ସମେତ ବହୁ ଚାଷୀଙ୍କ ଜମିରେ ବ୍ୟାପକ କ୍ଷତି ହୋଇଥିବା ଅଧିକାରୀମାନେ ଦେଖିଥିଲେ । ଏହି ପରିସ୍ଥିତିକୁ ନେଇ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଗଭୀର ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଓ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି । ସେ କହିଛନ୍ତି, ଚାଷୀଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଗଲେ ସେମାନେ ପୁଣିଥରେ ଚାଷ କାର୍ଯ୍ୟକୁ ଫେରିବେ ।