
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ଜଗନ୍ନାଥ ମନ୍ଦିର ଛକରୁ ଟିଟିଲାଗଡ଼ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଦୀର୍ଘଦିନ ଧରି ସାଧାରଣ ଲୋକେ ଅସୁବିଧା ଭୋଗୁଥିଲେ । ଏହି ସମସ୍ୟାକୁ ନେଇ ବିଭିନ୍ନ ଖବରକାଗଜରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ସେହିପରି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସମ୍ପୃକ୍ତ ବିଭାଗ ଓ ପ୍ରଶାସନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ପ୍ରଶାସନର ନୀରବତା ଓ ଅବହେଳାକୁ ବିରୋଧ କରି କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଗତ ଜୁଲାଇ ୨୭ ତାରିଖରେ ସମ୍ପୃକ୍ତ ବିଭାଗ ବିରୋଧରେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା । ଏହାପରେ ସମ୍ପୃକ୍ତ ବିଭାଗ ସକ୍ରିୟ ହୋଇ ଜୁଲାଇ ୨୯ ତାରିଖରୁ ରାସ୍ତା ମରାମତି କାମ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ଜଗନ୍ନାଥ ମନ୍ଦିର ଛକରୁ ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତାଟି କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଥାନାରେ ଅଭିଯୋଗ ପରେ ଦୁଇଟି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ସୂଚନା ଦେଇଥିଲେ ଯେ, ବର୍ଷା କମିବା ମାତ୍ରେ ରାସ୍ତାର ମରାମତି କାମ ସମ୍ପୂର୍ଣ୍ଣ କରାଯିବ । ପରବର୍ତ୍ତୀ ସମୟରେ ଏହି ରାସ୍ତାକୁ କଳାହାଣ୍ଡି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ଏବଂ ଆବଶ୍ୟକ ହେଲେ ନୂତନ ରାସ୍ତା ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଦୀର୍ଘଦିନର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିବାରୁ କେସିଙ୍ଗାବାସୀ ଖୁସି ପ୍ରକାଶ କରିଛନ୍ତି । ସେମାନେ କେସିଙ୍ଗା ସାମ୍ବାଦିକ ମହାସଂଘର ସମସ୍ତ ସଦସ୍ୟଙ୍କ ସହ କେସିଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
