
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା କଲମପୁର ଲଙ୍କେଶ୍ୱରୀ ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଛି । ମୃତ ମହିଳା ଜଣକ ହେଲେ ଦୀପାଞ୍ଜଳି ନିମୁଲିଆ (୨୩) । ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ, ଘଟଣାକୁ ଭିନ୍ନରୂପ ଦେବାପାଇଁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ବାପା ଘର ଲୋକେ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ, ରବିବାର ସକାଳ ପ୍ରାୟ ୭ଟା ସମୟରେ ଦୀପାଞ୍ଜଳି ଆତ୍ମହତ୍ୟା କରିଥିବା ନେଇ ଦୀପାଞ୍ଜଳୀଙ୍କ ବାପଘର ଲୋକେ ଜାଣି ଘଟଣା ସ୍ଥଳରେ ପହଂଚିଥିଲେ । ସେହି ସମୟରେ ଝୁଲନ୍ତା ଅବସ୍ଥାରେ ଦୀପାଞ୍ଜଳୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରେ କଲମପୁର ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ କଲମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହାୟତା ନିଆଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ସ୍ୱାମୀ ପ୍ରତୀକ (ଅଲେଖ) ନିମୁଲିଆଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରିରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କଲମପୁର ଥାନା ଅଧିକାରୀ ସୁନିଲୋ କନ୍ଦାଗୋରି ପ୍ରକାଶ କରିଛନ୍ତି ।