
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ପୁଅର ଦୀର୍ଘାୟୁ କାମନା ପାଇଁ ମା’ ମାନେ ଦ୍ୱିତିବାହାନ ଓଷା କରୁଥିବା ବେଳେ ଅନ୍ୟପଟେ ପୁଅ ସାଇକେଲରେ ଯାଉଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ୨ ନାବାଳକଙ୍କୁ ଚାପିଦେଲା ଟ୍ରାକ୍ଟର । ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନାବାଳକ ଆଶିଷ ଥପା (୧୨) ବୋଲି ଜଣାପଡିଛି, ଅନ୍ୟ ଜଣେ ନାବାଳକ ହଳଧର ବାଗ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଶିଷର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଓ ସାଇକେଲ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି । ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରିରଖିଛି ।