ଗୁରୁଦିବସରେ ସ୍ୱଚ୍ଛ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମର ରାଷ୍ଟ୍ରଗୁରୁ, ମହାନ ଦାର୍ଶନିକ, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି । ଶିକ୍ଷକ ମାନଙ୍କର ସମ୍ମାନାର୍ଥେ ଏହା ପାଳନ କରାଯାଏ । ଏ ଦିନଟି ସମାଜ ଗଠନ ଓ ମଣିଷ ତିଆରି କରିବାରେ ଗୁରୁଙ୍କର ଭୂମିକାକୁ ସ୍ମରଣ କରିବାର ଦିନ । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ଶିଶୁ ମନ୍ଦିର, ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଗୁରୁଦିବସ ଭକ୍ତିପୂର୍ଣ୍ଣ ଭାବେ ପାଳନ କରିଛନ୍ତି । ଏହି ଅବସରରେ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିହୁଙ୍କା ଶିଶୁଆପଡା ୟୁଜି ୟୁପି ସ୍କୁଲରେ ଛାତ୍ର ଛାତ୍ରୀ ମାନେ ପବିତ୍ର ଗୁରୁଦିବସ ଭକ୍ତିପୂତ ଭାବରେ ପାଳନ କରିଛନ୍ତି । ଏଥି ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବରିଷ୍ଠ ଓ କନିଷ୍ଠ ଦୁଇ ଭାଗରେ ବିଭକ୍ତ କରାଯାଇ ନୃତ୍ୟ, ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସାଂକୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍ଵଛ ଭାରତ ଅଭିଯାନରେ ସଫେଇ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ ମହେଶ୍ୱର ପ୍ରଧାନ, ଗଦାଧର ପାଣି, ଗାୟତ୍ରୀ ସାହୁ, ଖେଳ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗଣେଶ ମହାରଣା, ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ବଡ଼ଜେନା, ସଦସ୍ୟ ବେଣୁଧର ମଙ୍ଗରାଜ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଗୁରୁ ଭକ୍ତିର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.