jayashree

ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକଙ୍କ ସିନିଅରିଟି ସୁରକ୍ଷା ଦାବିରେ ବିଇଓଙ୍କୁ ସ୍ମାରକପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକ (ଶ୍ରେଣୀ–୨) ସଂଘ ପକ୍ଷରୁ ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ୟାଡର ନିୟମାବଳୀ, ୧୯୯୭ ଏବଂ ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ୟାଡର ନିୟମାବଳୀ, ୨୦୧୯ର ନିୟମ–୧୫ ଅନୁଯାୟୀ ସିନିଅରିଟି ନିର୍ଦ୍ଧାରଣ ସମ୍ପର୍କିତ ଏକ ସ୍ମାରକପତ୍ର ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିଆରୀଙ୍କୁ ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଶ୍ରେଣୀ–୫(ବି) ଶ୍ରେଣୀ–୨ ପଦକୁ ପଦୋନ୍ନତି ପାଇଁ ପ୍ରକାଶିତ ଅସ୍ଥାୟୀ ଗ୍ରାଡେସନ୍ ତାଲିକାରେ ସିନିଅରିଟି ନିର୍ଦ୍ଧାରଣ ବେଳେ କେତେକ ଅସଙ୍ଗତି ଦେଖିବାକୁ ମିଳିଛି । ସଂଘର ଅଭିଯୋଗ ଅନୁଯାୟୀ, ପ୍ରାରମ୍ଭିକ ନିଯୁକ୍ତି ସମୟରୁ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକ (ଶ୍ରେଣୀ–୨) ଭାବେ କାର୍ଯ୍ୟରତ ଶିକ୍ଷକମାନଙ୍କ ତୁଳନାରେ, ପ୍ରଥମେ ଶ୍ରେଣୀ–୧ରେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ସ୍ନାତକ, ବି.ଏଡ୍./ସି.ଟି. ଏବଂ ଓଟିଇଟି–୨ ଯୋଗ୍ୟତା ଅର୍ଜନ କରିଥିବା କେତେକ ଶିକ୍ଷକଙ୍କୁ ଅଧିକ ସିନିଅରିଟି ପ୍ରଦାନ କରାଯାଇଛି । ସଂଘର କହିବା ଅନୁଯାୟୀ, ଏହି ବିଷୟରେ ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ୟାଡର ନିୟମାବଳୀ, ୧୯୯୭ ଏବଂ ୨୦୧୯ର ନିୟମ–୧୫ର ସଠିକ୍ ପ୍ରୟୋଗ ହୋଇଛି କି ନାହିଁ, ତାହାର ନିରପେକ୍ଷ ପୁନଃଯାଞ୍ଚ ଆବଶ୍ୟକ । ନଚେତ୍ ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକମାନଙ୍କର ବୈଧ ସିନିଅରିଟି, ପଦୋନ୍ନତିର ସୁଯୋଗ ଏବଂ ସେବାଗତ ଅଧିକାର କ୍ଷୁର୍ଣ୍ଣ ହେବ।ସ୍ମାରକପତ୍ରରେ ଅସ୍ଥାୟୀ ଗ୍ରାଡେସନ୍ ତାଲିକାର ପୁନଃଯାଞ୍ଚ, ନିୟମ–୧୫ ଅନୁଯାୟୀ ସିନିଅରିଟି ପୁନଃ ନିର୍ଦ୍ଧାରଣ, ସମସ୍ତ ଆପତ୍ତିର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ପଦୋନ୍ନତି ପ୍ରକ୍ରିୟାକୁ ସ୍ଥଗିତ ରଖିବା, ଆବଶ୍ୟକ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ସ୍ପଷ୍ଟୀକରଣ ଆଣିବା ଏବଂ ଆପତ୍ତି ଉପରେ କାରଣ ଦର୍ଶାଉଥିବା ଲିଖିତ ଆଦେଶ ପ୍ରଦାନ କରିବାକୁ ଦାବି କରାଯାଇଛି । ସମ୍ପୃକ୍ତ କର୍ତ୍ତୃପକ୍ଷ ବିଷୟଟିକୁ ନିରପେକ୍ଷ ଭାବରେ ବିଚାର କରି ପ୍ରଚଳିତ ନିୟମ ଅନୁଯାୟୀ ନ୍ୟାୟସଙ୍ଗତ ପଦକ୍ଷେପ ଗ୍ରହଣ କରିବେ ଏବଂ ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକମାନଙ୍କର ବୈଧ ସେବା ଅଧିକାରକୁ ସୁରକ୍ଷା ପ୍ରଦାନ କରିବେ ବୋଲି ଅନୁରୋଧ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ପ୍ରଶିକ୍ଷିତ ଶିକ୍ଷକ (ଶ୍ରେଣୀ–୨) ସଂଘର ଶିକ୍ଷକ ଜୟକୃଷ୍ଣ ମେହେର, ଡୋଳେନ୍ଦ୍ର ମେହେର, ଖିତପତି ମେହେର, ବିଜୟ ମେହେର, ସୁରେଶ ସୁନ୍ଦରା, ଭାସ୍କର ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ତପନ ବିଶ୍ୱାଳ, ଖୁସିରାମ କାଣ୍ଡ, ନିକେରାମ ମେହେର, ଦନାର୍ଦ୍ଦନ ମହାପାତ୍ର, କୁମର ମେହେର ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.