pakka

‘ସୁକୁନ’ ଜନ କଲ୍ୟାଣମୂଳକ ଅଭିଯାନ ଆରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବ୍ଲୁଜୁମ କନସେପଟ୍‌ ସ୍କୁଲ ଏବଂ ଜେ.ଆଇ.ଟି.ଏମ. କଲେଜର ମିଳିତ ଆନୁକୂଲ୍ୟରେ ସମାଜର ଦରିଦ୍ର ଓ ନିସହାୟ ଲୋକମାନଙ୍କର ସହାୟତା ପାଇଁ “ସୁକୁନ” ନାମରେ ଏକ ଜନ କଲ୍ୟାଣମୂଳକ ଅଭିଯାନ ଆରମ୍ଭ ହୋଇଛି । “ସୁକୁନ”ଏକ ସ୍ଥାୟୀ କାର୍ଯ୍ୟକ୍ରମ ଯେଉଁଥିରେ ଅନୁଷ୍ଠାନ ଗୁଡିକର ସମସ୍ତ ଛାତ୍ର, ଛାତ୍ରୀ ସମେତ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଅଂଶ ଗ୍ରହଣ କରିବେ । ଏଇ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠାନର ସଦସ୍ୟମାନେ ନୂଆଁ, ପୁରୁଣା କିମ୍ବା ବ୍ୟବହୃତ ହୋଇ ନଥିବା ଲୁଗା ଓ ପୋଷାକ ଗୁଡିକକୁ ଦାନ କରିବେ । ଅନୁଷ୍ଠାନର ଏକ ଯାନ ଯୋଗେ ସେହି ସବୁ ଲୁଗା ଗୁଡିକୁ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଅନଗ୍ରସର ଥିବା ପରିବାର ଗୁଡିକୁ ଦାନ କରାଯିବ । ସେହି ଲୋକମାନେ ନିଜର ଇଚ୍ଛା ଓ ପସନ୍ଦ ମୁତାବକ ଲୁଗା ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ଆଜି ବଲାଙ୍ଗିର ସହରର ନୂତନ ବସଷ୍ଟାଣ୍ଡଠାରେ ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କର କର କମଳରେ ଉଦ୍‌ଘାଟିତ ହୋଇଥିଲା । ଜିଲ୍ଲାପାଳଙ୍କୁ ଅନୁଷ୍ଠାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ସ୍ୱାଗତ କରିଥିଲେ । ଅନୁଷ୍ଠାନର ଦୁଇ ଜଣ ଛାତ୍ରଛାତ୍ରୀ ଅଂଶୁମାନ ବୁଡ଼େକ ଓ ଶୀତଲ ବନଛୋର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ତା’ପରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଅନୁଷ୍ଠାନର ଏପରି ପ୍ରୟାସ ସମସ୍ତଙ୍କ ପାଇଁ ଅନୁକରଣୀୟ ଓ ଏହା ଏକ ଆଦର୍ଶ ସ୍ଥାପନ କରିବ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଅନୁଷ୍ଠାନର ଏହି ପଦକ୍ଷେପ ଓ ଅଭିଯାନର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗିତା ଓ ସହାଭାଗିତା ପାଇଁ ଅନୁରୋଧ କରିଥିଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଓ ମାର୍ଗ ଦର୍ଶନରେ ହିଁ କାର୍ଯ୍ୟକ୍ରମଟି ସଫଳ ରୁପାୟିତ ହୋଇପାରିଛି । କାର୍ଯ୍ୟକ୍ରମରେ (ଜେ.ଆଇ.ଟି.ଏମ୍‌) କଲେଜର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ, (ସେଞ୍ଚୁରିଅନ ପବ୍ଲିକ ସ୍କୁଲ)ର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, (ସି.ୟୁ.ଟି.ଏମ)ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, (ସ୍କୁଲ ଅଫ୍‌ ଫାର୍ମାସି)ର ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ ସାହୁ, (ଦିଲ୍ଲୀ ପବ୍ଲିକ ସ୍କୁଲ)ର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, (ବ୍ଲୁଜୁମ କଂସେପ୍ଟ ସ୍କୁଲ)ର ଅଧ୍ୟକ୍ଷା ସୁନନ୍ଦିନୀ ଗୁରୁ ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଯମୁନା ମିଶ୍ର ଉପସ୍ଥିତ ଥିଲେ । ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ସହଯୋଗିତାରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିର ପରିସମାପ୍ତି ଘୋଷଣା କରିଥିଲେ । ମାନବତାକୁ ବଜାୟ ରଖିବା ପାଇଁ ଏକ କ୍ଷୁ୍ଦ୍ର ପ୍ରୟାସ ମଧ୍ୟ ସଫଳତାର ପାହାଚ ହୋଇପାରେ । ବିଦ୍ୟାଳୟର ଏହି ଅଭିନବ ଓ ଭିନ୍ନ ପ୍ରୟାସ ଆଗାମୀ ପିଢ଼ି ପାଇଁ “ମାନବ ସେବା ହିଁ ମାଧବ ସେବା” ପରି ଭାବନାକୁ ଛାତ୍ରଛାତ୍ରୀଙ୍କ ହୃଦୟରେ ଉଦ୍ରେକ ଭାବନା ଏକ ଯୁଗାନ୍ତକାରି ପଦକ୍ଷେପ ହୋଇପାରିବ ବୋଲି ସହରର ସବୁ ମହଲରେ ଚର୍ଚ୍ଚା ହେଉଛି ଆଉ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

jay balangir
Leave A Reply

Your email address will not be published.

four × 4 =