ଫୁଲୁଛି ସୁକତେଲ ନଦୀ, ଜନବସତି ମୁହାଁ ପାଣି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଫୁଲୁଛି ସୁକତେଲ ନଦୀ । ଜନବସତି ମୁହାଁ ପାଣି । ଗଡଶଙ୍କର ଡୁଙ୍ଗୁରିପାଲିବାସୀ ଆତଙ୍କିତ । ରାତିସାରା ଜଗୁଛି ପ୍ରଶାସନ । ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପର ପାଣି ଫୁଲି ଯାଇଛି । ଉପରମୁଣ୍ଡରେ ଥିବା ମାୟାବତୀ ନଦୀର ପାଣି ଏହି ନଦୀରେ ମିଶିବା ପରେ ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି । ଜିଏସ୍‌ ଡୁଙ୍ଗୁରିପାଲି- ବନଛୋରପାଲି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିବା ବେଳେ ଗତ ଶୁକ୍ରବାର ରାତି ୧୦ଟା ବେଳକୁ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ପାଣି ପଶିଛି । ଫଳରେ ବିସ୍ଥାପିତ ଅପେକ୍ଷାରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ରାତିସାରା ଜଗି ରହୁଛି । ଗ୍ରାମର ଭରତ ସାହୁ ଓ ଶତୃଘ୍ନ ସାହୁଙ୍କ ଘରେ ପାଣି ପଶିଥିବା ବେଳେ ସେମାନଙ୍କ ପରିବାରକୁ ବଲାଙ୍ଗିର ଆଇଟିଆଇଠାରେ ଥଇଥାନ କରାଯାଇଛି । ଗାଁ ଛାଡିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଲୋକଙ୍କୁ ଅନୁରୋଧ କରିଥିଲେ ହେଁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବିନା ଗାଁରୁ ଯିବାକୁ ଲୋକେ ରୋକଠୋକ ମନା କରି ଦେଇଛନ୍ତି । ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପଦାଧିକାରୀ ଗାଁରେ ରାତିସାରା ଜଗି ରହୁଥିବା ଜଣାଯାଇଛି । ହଠାତ୍ ରାତିରେ ପାଣି ପଶିଥିବା ଯୋଗୁଁ ପରିବାର ଭୟଭୀତ ଅବସ୍ଥାରେ ସ୍ଥାନାନ୍ତରିତ ହୋଇଥିଲେ ହେଁ ଅନେକ ଆସବାବ ସାମଗ୍ରୀ ଆଣି ପାରିଲେ ନାହିଁ ବୋଲି ସଂପୃକ୍ତ ପରିବାର ପକ୍ଷରୁ କୁହାଯାଇଛି । ଏନେଇ ଜିଲ୍ଲାପାଳ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ ହେବାକୁ କହିଥିବା ବେଳେ ଏବେ କୌଣସି ଘର ଭଙ୍ଗାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଥଇଥାନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ କିଛି ଗ୍ରାମବାସୀ ଗାଁ ଛାଡିବାକୁ ଅମଙ୍ଗ ରହିଛନ୍ତି । ତେବେ ଆଜି ମଧ୍ୟ ଜଳସ୍ତର ବଢୁଥିବା ଯୋଗୁଁ ପ୍ରଶାସନର ଚିନ୍ତା ବଢ଼ିଛି । ଏପଟେ ଗାଁ ମୁଣ୍ଡରେ ପୋଲିସ ମୁତୟନ କରାଯାଇ ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଗାଁରେ ଲୋକେ ବ୍ୟାକୁଳ ହୋଇ ନିଜ ନିଜ ଭଙ୍ଗାଘରୁ ଛଡ, ଇଟା ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । କିଛି ପରିବାର ମୁଣ୍ଡପିଛା ସହାୟତା ରାଶି ତଥା କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତଥାପି ସାହସ କରି କିଛି ପରିବାର ଗାଁରେ ଚଳିତ ବର୍ଷାଋତୁ କଟାଇବାକୁ ମନୋବଳ ଦୃଢ଼ କରୁଥିବା ଦେଖାଯାଇଛି । ଆଜି ମଧ୍ୟ ପୂର୍ବ ପରି ଦୁଇଟି ସୁଇସଗେଟ୍ ଯୋଗେ ପାଣି ନିଷ୍କାସନ ହେଉଛି । ଗ୍ରାମବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବକେୟା ପାଉଣା ଓ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ସମେତ ବର୍ଷାଋତୁ ଶେଷ ସମୟ ପର୍ଯ୍ୟନ୍ତ ମହଲତ ଦେବାକୁ ମଧ୍ୟ ଦାବୀ ହେଉଛି ।

Leave A Reply

Your email address will not be published.