
- ଇଟାଭାଟିର ଜଳନ୍ତା ପାଉଁଶ ପଡ଼ି ହାଇଦ୍ରାବାଦରେ ଡଙ୍ଗାବାଞ୍ଜିର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବାରମ୍ବାର ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଦାଦନ ଶ୍ରମିକଙ୍କ ମୃତଦେହ ଫେରିବା ଭଳି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏକ ହୃଦୟବିଦାରକ ଦାଦନ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି । ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଡ଼ଙ୍ଗାବାଞ୍ଜି ଗ୍ରାମରୁ ପୁଣି ଏକ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଏବେବି ଚିକିତ୍ସିତ ହେଉଛନ୍ତି । ଗ୍ରାମର ଜଗନ୍ନାଥ ଧରୁଆ (୨୮)ବାହାର ରାଜ୍ୟ ଇଟା ଭାଟିରେ କାମ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଜଳନ୍ତା ପାଉଁଶ (ରାଗ୍)ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ବେଆଇନ୍ ଦାଦନ ସର୍ଦ୍ଦାରମାନେ ଦାଦନ ଶ୍ରମିକମାନଙ୍କୁ ଅଗ୍ରିମ ଟଙ୍କା ଦେଇ ଇଟା ନିର୍ମାଣ ପାଇଁ ବାହାର ରାଜ୍ୟକୁ ନେଇଥାନ୍ତି । ନିଜର ପରିବାରର ଆର୍ଥିକ ଅବସ୍ଥା ଓ ପ୍ରତିପୋଷଣ ପାଇଁ ପରିବାରର ଦୁଃଖ ଦୂର କରିବାର ସ୍ୱପ୍ନ ନେଇ ଘର ଛାଡ଼ିଥାନ୍ତି ଦାଦନ ଶ୍ରମିକ ଓ ସୁଦୂର ରାଜ୍ୟକୁ ଯାଇ ଦାଦନ ସର୍ଦ୍ଧାରଙ୍କଠାରୁ ବହୁତ ଅତ୍ୟାଚାର ଓ ନିର୍ଯ୍ୟାତନା ସହ ମାଡ଼ ମଧ୍ୟ ସହିଥାନ୍ତି।ଠିକ ସେହିପରି ଗରିବ ଜଗନ୍ନାଥ ମଧ୍ୟ ନିଜର ପରିବାରର ଆର୍ଥିକ ଅବସ୍ଥା ପ୍ରତିପୋଷଣ ଓ ପରିବାରର ଦୁଃଖ ଦୂର କରିବାର ସ୍ୱପ୍ନ ନେଇ ନିଜ ଅନ୍ୟ ସାଥି ଦାଦନ ଶ୍ରମିକମାନଙ୍କ ସହ ସୁଦୂର ହାଇଦ୍ରାବାଦ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ନିଜ ସାଥିମାନଙ୍କ ସହ କାମ କରୁଥିବା ବେଳେ ଇଟାଭାଟିରେ ଦେବା ପାଇଁ ଜଳନ୍ତା ପାଉଁଶ(ରାଗ୍) ଆଣି ଯାଉଥିବା ବେଳେ ହଠାତ ଜଳନ୍ତା ପାଉଁଶ (ରାଗ୍)ଟି ତାଙ୍କ ସମ୍ପୂର୍ଣ୍ଣ ଦେହ ଉପରେ ପଡି ଯାଇଥିଲା । ଫଳରେ ତାଙ୍କ ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ବିରଞ୍ଚି ଧରୁଆ ନାମକ ଆଉ ଜଣେ ଶ୍ରମିକଙ୍କର ମଧ୍ୟ ଦୁଇ ଗୋଡ଼ ଜଳି ଯାଇଥିଲା । ଦୁଇ ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅତ୍ୟନ୍ତ ଗୁରୁତର ଥିବା ଜଗନ୍ନାଥ ଧରୁଆଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସ୍ଥାନୀୟ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ନିଜ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ବେଳେ ହାଇଦ୍ରାବାଦରେ ହିଁ ତାଙ୍କର ଶବଦାହ କରାଯାଇଥିଲା ବୋଲି ପରିବାରବର୍ଗ କହିଛନ୍ତି । ଏବେ ମୃତ ଜଗନ୍ନାଥ ଧରୁଆଙ୍କ ପରିବାରରେ ସ୍ତ୍ରୀ ଭୂମିସୂତା ଧରୁଆ(୨୫) ସମ୍ପୂର୍ଣ୍ଣ ଭାବରେ ଅସହାୟ ହୋଇ ପଡ଼ିଥିବା ବେଳେ ତାଙ୍କର ଗୋଟେ ପୁଅ ସମୀର ଧରୁଆ (୨) ଆଉ ଗୋଟେ ଝିଅ ସୋନାକ୍ଷୀ ଧରୁଆ (୪) ଅଛନ୍ତି । ସ୍ଥାନୀୟ ଗ୍ରାମବାସୀ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ନିଜ ଓ ନିଜ ପରିବାରର ପେଟର ଭୋକ ମେଣ୍ଟାଇବା ପାଇଁ ବାରମ୍ବାର ଦାଦନ ଖଟିବାକୁ ଯାଇ ଦାଦନ ଦଲାଲ, ସର୍ଦ୍ଧାର ଓ ମାଲିକଙ୍କ ନିର୍ଯ୍ୟାତନାର ସହିନପାରି ମୃତ୍ୟୁର ଶିକାର ହେଉଥିବା ଏହି ନିରୀହ ଲୋକଙ୍କ ଅସହାୟ ପରିବାରଗୁଡିକୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦୃଢ଼ ଦାବି କରିଛନ୍ତି ।