jayashree

ଦେଓଗାଁ ବ୍ଲକ୍‌ ସ୍ତରୀୟ ଶ୍ରୀମଦ୍‌ ଭଗବଦ୍‌ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଚନ୍ଦ୍ରପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ଜ୍ଞାନ ପରମ୍ପରା, ନୈତିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକ ଚେତନାର ଜାଗରଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ ଦେଓଗାଁ ବ୍ଲକ୍‌ ସ୍ତରୀୟ ଶ୍ରୀମଦ୍‌ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଓଏଭି ଚନ୍ଦ୍ରପୁରର ଉପାଧକ୍ଷ ଗୋପବନ୍ଧୁ ମେହେର, ସଂଯୋଜକ ଶେଷଦେବ ମିଶ୍ର, ଡ଼କ୍ଟର ମାନସ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତାରେ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ତଥା ବଲାଙ୍ଗିର ଜିଲ୍ଲାର ନୋଡାଲ୍ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଯୋଗଦେଇ ଶ୍ରୀମଦ୍‌ ଭଗବଦ୍‌ଗୀତାର ସାର୍ବଜନୀନ ଜୀବନ ଦର୍ଶନ, କର୍ତ୍ତବ୍ୟନିଷ୍ଠା ଓ ଚରିତ୍ର ଗଠନରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାରତୀର ପ୍ରାନ୍ତପ୍ରଚାର ପ୍ରମୁଖ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ପ୍ରତିଯୋଗିତାର ସଂଯୋଜନା ଓ ସମନ୍ୱୟ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ବିଭାଗରେ ଆରୋଷି ପଧାନ, ଅପର୍ଣ୍ଣା ମେହେର, ମଧୁଲିକା ସାହୁ, ସୁଶ୍ରୀ ସ୍ୱାଗତିକା ନାଏକ କୃତିତ୍ୱ ଅର୍ଜନ କରିଥିବା ବେଳେ ସବ୍ ଜୁନିଅର ବିଭାଗରେ ସମ୍ପୂର୍ଣ୍ତା ମେହେର, ଆରଭୀ ସିଂ ଚିନ୍ଦା, ପୂର୍ଣ୍ଣିମା ଥନାପତି କୃତିତ୍ୱ ଅର୍ଜନ କରିଥିଲେ । ବରିଷ୍ଠ ବିଭାଗରେ ବିଚାରକ ଦାୟୀତ୍ୱ କୁଞ୍ଜବିହାରୀ ନାଏକ, ସର୍ଜନ ପାତ୍ର, ସସ୍ମିତା ବିଶ୍ୱାଳ, ସୁଜାତା ମେହେର, ବସନାନ ବାଗ, ସଙ୍ଗୀତା ବାବୁ ତୁଲାଇଥିବା ବେଳେ ସବ୍ ଜୁନିଅର ବିଭାଗରେ ସାଇ ବନ୍ଦନା ମିଶ୍ର, ସରିତା ଦିଶ୍ରୀ, ଅଞ୍ଜଳି ବାଗ, ସ୍ମୁତି ବୁଦ୍ଧିଆ ବିଚାରକ ଭାବରେ କାର୍ଯ୍ୟ ତୁଳାଇଥିଲେ । କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଭୟ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନେ ମନୋନୀତ ହୋଇ ଆସନ୍ତା ନଭେମ୍ବର ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ସୂଚନା ମିଳିଛି । ବରିଷ୍ଠ ଶିକ୍ଷୟିତ୍ରୀ ସମନ୍ୱିତା ଷଡ଼ଙ୍ଗୀ ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଘନଶ୍ୟାମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥଲେ ।

Leave A Reply

Your email address will not be published.