
- ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ପରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରି
- ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଏଭଳି ଅତ୍ୟାଧୁନିକ ରୋଗ ନିର୍ଣ୍ଣୟ ସୁବିଧା କ୍ଷେତ୍ରରେ ରାଜ୍ୟରେ ପ୍ରଥମ
- ବିଶେଷ ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ଯିବାର ଆବଶ୍ୟକତା କମିବ
- ସହଜ ହେବ ବ୍ୟାପକ ଗର୍ଭକାଳୀନ ପରୀକ୍ଷଣ ସୁବିଧା
ଭୁବନେଶ୍ୱର, (ପିଆଇବି) : ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ନିର୍ଣ୍ଣୟ ବ୍ୟବସ୍ଥା, ତଥା ଅନ୍ୟାନ୍ୟ ରୋଗ ନିର୍ଣ୍ଣୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର, ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନୋଟି ଅତ୍ୟାଧୁନିକ ପରୀକ୍ଷାଗାର ସୁବିଧାର ଶୁଭାରମ୍ଭ ହୋଇଛି। ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରୀ, ଇମ୍ୟୁନୋଲୋଜି ଲାବୋରେଟୋରୀ ଏବଂ ଏଚ୍ପିଏଲ୍ସି ଲାବୋରେଟୋରୀକୁ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର (ଡ.) ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଛନ୍ତି। ଜଟିଳ ଏବଂ ବିଶେଷ ରୋଗ ନିର୍ଣ୍ଣୟ ସେବାର ଗୁଣବତ୍ତା, ସଠିକତା ଏବଂ ଉପଲବ୍ଧତାକୁ ବୃଦ୍ଧି କରିବା, ଆରମ୍ଭ ହୋଇଥିବା ସେବାର ପ୍ରାଥମିକ ଉଦ୍ଦେଶ୍ୟ।
ଏନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ କହିଛନ୍ତି ଯେ, ଏହି ଉନ୍ନତ ପ୍ଲାଟଫର୍ମ ମାଧ୍ୟମରେ ପରିସ୍ରା ଏବଂ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (ସିଏସ୍ଏଫ୍) ଭଳି ନମୁନାରେ ଅତ୍ୟନ୍ତ ସୂକ୍ଷ୍ମ ମାତ୍ରାରେ ଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଇପାରିବ, ଯାହା ରୋଗ ନିର୍ଣ୍ଣୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ନଥିବା ଡ. ବିଶ୍ବାସ ସୂଚନା ପ୍ରଦାନ କରିଛନ୍ତି।
ଏହି ଅବସରରେ ଡିନ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଡିନ୍ (ପରୀକ୍ଷା) ତଥା ବାୟୋକେମିଷ୍ଟ୍ରି ବିଭାଗୀୟ ମୁଖ୍ୟ ଡ. ମନସ୍ୱିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ସଠିକ୍ ଏବଂ ସମ୍ବେଦନଶୀଳ ପରୀକ୍ଷଣ ପାଇଁ ‘ଆଣ୍ଟିନାଟାଲ୍ ଆଣ୍ଡ ନିଉ-ବର୍ଣ୍ଣ ସ୍କ୍ରିନିଂ ଲାବୋରେଟୋରୀ’ (ଗର୍ଭକାଳୀନ ଓ ନବଜାତ ଶିଶୁ ପରୀକ୍ଷଣ ପରୀକ୍ଷାଗାର) ରେ ଏକ ନୂତନ ‘ରେଭିଟି ଭିକ୍ଟର ୨ଡି ଫ୍ଲୋରୋମିଟର’ ସ୍ଥାପନ କରାଯାଇଛି। ନବଜାତ ଶିଶୁଙ୍କ ପାଇଁ ସାତୋଟି ନୂତନ ପରୀକ୍ଷଣ ମାନକ ସ୍ଥିର କରାଯିବା ସହିତ ଅନଲାଇନ୍ ରିପୋର୍ଟିଂ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏତଦ୍ବ୍ୟତୀତ ‘ଇମ୍ୟୁନୋରିଆକ୍ଟିଭ୍ ଟ୍ରିପସିନୋଜେନ୍’ (ଆଇଆରଟି) ମାଧ୍ୟମରେ ‘ସିଷ୍ଟିକ୍ ଫାଇବ୍ରୋସିସ୍’ ପରୀକ୍ଷା ମଧ୍ୟ ଆରମ୍ଭ କରାଯିବ।
ଏହି ପରୀକ୍ଷାଗାରରେ ଗର୍ଭକାଳୀନ ସ୍ୱତନ୍ତ୍ର ପରୀକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଏଥିରେ ଡୁଆଲ୍-ମାର୍କର, ଟ୍ରିପଲ୍-ମାର୍କର ଏବଂ ପେଣ୍ଟା-ମାର୍କର ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି। ଯେଉଁଥିରେ ବିପଦ ଆକଳନ ପାଇଁ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାର ବ୍ୟବସ୍ଥା ମଧ୍ୟ ରହିଛି। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ବ୍ୟାପକ ଗର୍ଭକାଳୀନ ପରୀକ୍ଷଣ ସୁବିଧା ଉପଲବ୍ଧ ନାହିଁ।
ଇମ୍ୟୁନୋଲୋଜି ପରୀକ୍ଷାଗାରକୁ ‘ସିମେନ୍ସ ଆଟେଲିକା ନେଫେଲୋମିଟର’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସୁଦୃଢ଼ କରାଯାଇଛି। ବର୍ତ୍ତମାନ ଏଥିରେ ଛଅଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି।
ଏହି ପରୀକ୍ଷାଗାରରେ ଏକାଧିକ ନୂତନ ବିଶେଷ ପରୀକ୍ଷା ହେବାର ଯୋଜନା ରହିଛି। ରୋଗ ପ୍ରତିରୋଧକ ଶକ୍ତି ଅଭାବ କାରଣରୁ ହେଉଥିବା ଏକାଧିକ ଗମ୍ଭୀର ବେମାରୀକୁ ଉଚ୍ଚତମ ପରୀକ୍ଷଣ ମାଧ୍ୟମରେ ଚିହ୍ନଟ କରିବାରେ ବିଶେଷ ସହାୟକ ହେବ ଏହି ପରୀକ୍ଷାଗାର। ଉଭୟ ପରିସ୍ରା ଏବଂ ରକ୍ତରୁ ରୋଗ ଚିହ୍ନଟ କରାଯାଇପାରିବ। ଏହା ବ୍ୟତୀତ, ଅଙ୍ଗ ପ୍ରତିରୋପଣ କରାଉଥିବା ରୋଗୀମାନଙ୍କ ପାଇଁ ‘ଲିମ୍ଫୋସାଇଟ୍ କ୍ରସ୍-ମ୍ୟାଚିଂ’ ସେବା ମଧ୍ୟ ଆରମ୍ଭ କରାଯିବ।
ମଧୁମେହ ନିର୍ଣ୍ଣୟ ଏବଂ ମନିଟରିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ଏଚ୍ବିଏ୧ସି ପରୀକ୍ଷା ପାଇଁ ଏଚପିଏଲ୍ସି ପରୀକ୍ଷାଗାର ବିଶେଷ ସହାୟକ ହେବ। ମଧୁମେହ ରୋଗ କ୍ଷେତ୍ରରେ ଉଚ୍ଚତର ଏବଂ ଅତ୍ୟାଧୁନିକ ମାନର ପରୀକ୍ଷଣ ବ୍ୟବସ୍ଥା, ରୋଗୀଙ୍କୁ ବେଶ ସହାୟକ ହେବ। ଦେଶରେ ଥିବା ସମସ୍ତ ଏମ୍ସ ମଧ୍ୟରେ ଏମ୍ସ ଭୁବନେଶ୍ୱର ହେଉଛି ପ୍ରଥମ ପ୍ରତିଷ୍ଠାନ ଯାହା ଏପରି ଉଚ୍ଚମାନର ବିଶ୍ଳେଷକ କ୍ରୟ କରିଛି, ଯାହା ଏହାର ନିର୍ଣ୍ଣୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିଛି।
ଉପରୋକ୍ତ ପରୀକ୍ଷଣ ଗୁଡ଼ିକ ଦ୍ବାରା ଏମ୍ସ ଭୁବନେଶ୍ୱର ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକର ରୋଗୀମାନଙ୍କୁ ଉନ୍ନତ, ଉଚ୍ଚ-ଗୁଣବତ୍ତା ଏବଂ ସୁଲଭ ନିର୍ଣ୍ଣୟ ସେବା ପ୍ରଦାନ କରିବାରେ ସଫଳ ହେବ। ଏହି ଉନ୍ନତ ବ୍ୟବସ୍ଥା ବିଶେଷ ପରୀକ୍ଷଣ ସୁବିଧାକୁ ଉନ୍ନତ କରିବା ସହିତ ନିର୍ଣ୍ଣୟ କ୍ଷମତାକୁ ବୃଦ୍ଧି କରିବ। ରୋଗୀମାନଙ୍କୁ ଉନ୍ନତ ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ଯାତ୍ରା କରିବାର ଆବଶ୍ୟକତାକୁ ହ୍ରାସ କରିବାରେ ବେଶ ସହାୟକ ହେବ।