jayashree

ରାଜବୋଡାସମ୍ବର୍ ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜବୋଡାସମ୍ବର୍ ବ୍ଲକ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ପରିସରରେ କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ନିରାକାର ବରିହା, ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ୍ ସିଂହ ବରିହା, ଉପ-ଅଧ୍ୟକ୍ଷା ସଂଯୁକ୍ତା ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ଵଜ ବଗାର, ସରସ୍ୱତୀ ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପଦ୍ମପୁରର ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସଞ୍ଜୟ ଲେଙ୍କା ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୫,୦୦୦ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ‘ଶହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଏବଂ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ପ୍ରି-ମାଟ୍ରିକ୍ ଓ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍’ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏତଦ୍‌ବ୍ୟତୀତ, ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା’ ଓ ‘ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’, କ୍ଷୁଦ୍ର ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଥିବା ‘ଲାଭ’ ଯୋଜନା ସହିତ ବ୍ୟକ୍ତିଗତ ଓ ସାମୁଦାୟିକ ଋଣ ଏବଂ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ପାଇଁ କରାଯାଇଥିବା ସମସ୍ତ ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମର ଶେଷରେ, ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଶିର ଚେକ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ସେମାନେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କର୍ମଚାରୀ, ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.